ବଣ୍ଟିଙ୍କୁ ପୁଣି ରିମାଣ୍ଡରେ ନେଲା ପୁଲିସ

ନୂଆପଡ଼ା : ଟିଡିଆର୍‌ ଚଞ୍ଚକତା କରି ୨୫ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ମାମଲାର ଠିକାଦାର ବଣ୍ଟି ଅଗ୍ରୱାଲଙ୍କୁ ପୁଣି ୫ ଦିନିଆ ରିମାଣ୍ଡରେ ନେଇଛି ନୂଆପଡ଼ା ପୁଲିସ। ଠିକାଦାର ବଣ୍ଟିଙ୍କଠାରୁ ଅଧିକ ତଥ୍ୟ ହାସଲ କରିବା ପାଇଁ ଶନିବାର ପୁଲିସ ରିମାଣ୍ଡ ପାଇଁ ସ୍ଥାନୀୟ ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ଆବେଦନ କରିଥିଲା। ପୁଲିସର ଆବେଦନ ମୁତାବକ ଅଦାଲତ ବଣ୍ଟିଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ଅଭିଯୁକ୍ତଙ୍କ ତରଫରୁ ତାଙ୍କ ଓକିଲ ଶନିବାର ଜାମିନ ପାଇଁ ଆବେଦନ କରିଥିଲେ। ହେଲେ ଅଦାଲତ ବଣ୍ଟିଙ୍କ ଜାମିନ ନାମଞ୍ଜୁର କରିଥିଲେ।

ସୂଚନାଯୋଗ୍ୟ ଗତ ୧୪ ତାରିଖ ନୂଆପଡ଼ା ପୁଲିସ ଠିକାଦାର ବଣ୍ଟି, ତାଙ୍କ ବାପା ରାଜେନ୍ଦ୍ର ପ୍ରସାଦ ଅଗ୍ରୱାଲ ଓ ସ୍ତ୍ରୀ ସବିତା ଦେବୀଙ୍କୁ ହରିଆଣାର ଏକ ଭଡ଼ାଘରୁ ଗିରଫ କରିଥିଲା। ଗତ ୧୫ତାରିଖ ରାଜେନ୍ଦ୍ର ଓ ସବିତାଙ୍କୁ ଖଡ଼ିଆଳ ଜେଏମଏଫସି ଅଦାଲରେ ହାଜର କରାଯାଇଥିଲା। ସେମାନଙ୍କ ଜାମିନ ନାମଞ୍ଜୁର ହେବା ପରେ ଖଡ଼ିଆଳସ୍ଥିତ ଉପ କାରାଗାରକୁ ପଠା ଯାଇଥିଲା। ଅଧିକ ତଥ୍ୟ ହାସଲ ପାଇଁ ବଣ୍ଟିଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ନୂଆପଡ଼ା ଏସଡିଜେଏମଙ୍କ ଅଦାଲରେ ପୁଲିସ ଗତ ୧୫ ତାରିଖ ଦିନ ଆବେଦନ କରିଥିଲା। ହେଲେ ମାତ୍ର ୩ ଦିନ ପାଇଁ ରିମାଣ୍ଡ ଅନୁମତି ମିଳିଥିଲା। ସେଦିନଠାରୁ ତିନି ଦିନ ପାଇଁ ରିମାଣ୍ଡରେ ନୂଆପଡ଼ା ପୁଲିସ ବଣ୍ଟିଙ୍କୁ ଆଣିଥିଲା। ଅଭିଯୁକ୍ତ ବଣ୍ଟିଙ୍କ ତରଫରୁ ଓକିଲ ହରୀଶ ପଟେଲ ଏବଂ ସରକାରୀ ଓକିଲ ଭାବେ ଅଶ୍ୱନୀ ବାଗ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର