ନୂଆପଡ଼ା: ନୂଆପଡା ବ୍ଳକ ପତୋରା ଅପର ଜୋଙ୍କ ଜଳ ଆବଣ୍ଟନ ବିବାଦ ତେଜିବାରେ ଲାଗିଛି । ଏ ନେଇ ଆଜି ସକାଳୁ ତଳମୁଣ୍ଡ ଚାଷୀ ରବିଚାଷ ପାଣି ପାଇଁ ଜାତୀୟ ରାଜପଥ ୩୫୩କୁ ସିଲଦା ଛକରେ ଅବରୋଧ କରିଥିଲେ। ଚାଷୀଙ୍କ ରାସ୍ତା ଅବରୋଧ ପରେ ଆସନ୍ତା ୧୪ ତାରିଖ ଭିତରେ ତଳ ମୁଣ୍ଡକୁ ପାଣି ଦେବା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।

Advertisment

ଗତ ଜାନୁୟାରୀ ୧ ତାରିଖରେ ରବି ଚାଷ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରକଳ୍ପରୁ ତଳମୁଣ୍ଡକୁ ପାଣି ଛାଡିଥିଲା । ଏହାକୁ ବିରୋଧ କରି ଉପରମୁଣ୍ଡ ଚାଷୀ ଜିରୋ ହେଡରୁ ପାଣି ଛାଡିବାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ । ଗତ ୧୧ ଦିନ ହେବ ପତୋରା ମୁଖ୍ୟ କେନାଲରେ ପାଣିକୁ ବନ୍ଦ କରି ଧାରଣାରେ ବସିଥିଲେ । ଅନ୍ୟପକ୍ଷରେ ଆଜି ସକାଳୁ ତଳମୁଣ୍ଡ ଚାଷୀ ନୂଆପଡ଼ା ବ୍ଳକ ସିଲଦା ଛକ ଠାରେ ଜାତୀୟ ରାଜପଥ ୩୫୩କୁ ଅବରୋଧ କରିଥିଲେ।

ଏହି ପ୍ରକଳ୍ପରେ ରବିଚାଷ ସକାଶେ ଗୋଟିଏ ବର୍ଷ ତଳମୁଣ୍ଡ ଓ ଗୋଟିଏ ବର୍ଷ ଉପରମୁଣ୍ଡ ଜଳ ସେଚନ ପାଇଁ ପାଣି ଯୋଗାଇ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହି ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଗତ ବର୍ଷ ଉପର ମୁଣ୍ଡ ଚାଷୀ ପାଣି ପାଇଥିବାରୁ ଚଳିତବର୍ଷ ତଳମୁଣ୍ଡ ଚାଷୀଙ୍କୁ ପାଣି ଯୋଗାଇ ଦେବାର ନିୟମ ରହିଥିଲା । ଏଣୁ ଚଳିତ ୟବର୍ଷ ତଳମୁଣ୍ଡ ଚାଷୀଙ୍କ ପାଳି ହୋଇଥିବାରୁ ପାଣି ପଞ୍ଚାୟତ ୬ରୁ ୧୬କୁ ଜଳ ସେଚନ ସୁବିଧା ଯୋଗାଇ ଦେବାକୁ ଦାବି କରିଥିଲେ।

ତଳମୁଣ୍ଡ ଚାଷୀଙ୍କୁ ପାଣି ନଛାଡିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନକୁ ତଳମୁଣ୍ଡ ଚାଷୀ ଚେତାବନୀ ଦେଇଥିଲେ। ଏଭଳି ପତୋରା ଅପର ଜୋଙ୍କ ପାଣି ଆବଣ୍ଟନକୁ ନେଇ ଉପର ମୁଣ୍ଡ ଓ ତଳମୁଣ୍ଡ ମଧ୍ୟରେ ବିବାଦ ତେଜିବାରେ ଲାଗିଥିଲା। ଏଣୁ ତୁରନ୍ତ ପାଣି ଆବଣ୍ଟନ ବିବାଦ ତୁଟାଇ ତଳମୁଣ୍ଡ ଚାଷୀଙ୍କୁ ପାଣି ଯୋଗାଇ ଦେବାକୁ ଚାଷୀନେତା ରାଜେଶ ନିଗମ, ପ୍ରମୋଦ ସାହୁ, ପ୍ରେମଲାଲ ନାଏକ, ମନୋଜ ସାହୁ ପବନ ସାହୁ ପ୍ରମୁଖ ଚାଷୀ ଜିଲ୍ଲା ପ୍ରଶାସନ ନିକଟରେ ଦାବି ହୋଇଥିଲା।

ଏହି ଖବର ପାଇ ଉପଜିଲ୍ଲାପାଳ ରାମଚନ୍ଦ୍ର ଖଡ଼ିଆ, ନୂଆପଡ଼ା ତହସିଲଦାର ଦେବେନ୍ଦ୍ର ରାଉତ, ଅତିରିକ୍ତ ତହସିଲଦାର ମୋହନ ମୁଣ୍ଡ ଆନ୍ଦୋଳନରତ ଚାଷୀଙ୍କୁ ବୁଝାସୁଝା କରିଥିଲେ । ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ, ନୂଆପଡ଼ା ଆଇଆଇସି ନିର୍ମଳ ପାଣିଗ୍ରାହୀ, ଜୋଙ୍କ ଆଇଆଇସି କୈଳାଶ ଚନ୍ଦ୍ର ସେଠି ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆଇନ ଶୃଙ୍ଖଳା ସ୍ଥିତି ଅନୁଧ୍ୟାନ କରି ଆସନ୍ତା ୧୪ ତାରିଖ ଭିତରେ ତଳ ମୁଣ୍ଡକୁ ପାଣି ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।