ଟିଡିଆର୍‌ ଚଞ୍ଚକତା : ୩ ଦିନିଆ ରିମାଣ୍ଡରେ ବଣ୍ଟି, ବାପା, ସ୍ତ୍ରୀ ଜେଲ୍‌ ଗଲେ

ନୂଆପଡ଼ା/ଖଡ଼ିଆଳ : ବହୁ ଚର୍ଚ୍ଚିତ ଟିଡିଆର୍‌ ଚଞ୍ଚକତା ମାମଲାରେ ନୂଆପଡ଼ା ପୁଲିସ ମୁଖ୍ୟ ଅଭିଯୁକ୍ତ ସୁପର କ୍ଲାସ ଠିକାଦାର ବଣ୍ଟି ଅଗ୍ରଓ୍ଵାଲଙ୍କୁ ବୁଧବାର ୩ ଦିନିଆ ରିମାଣ୍ଡରେ ଆଣିଛି। ଅନ୍ୟପକ୍ଷରେ ତାଙ୍କ ବାପା ରାଜେନ୍ଦ୍ର ପ୍ରସାଦ ଅଗ୍ରଓ୍ଵାଲ ଓ ପତ୍ନୀ ସବିତା ଅଗ୍ରଓ୍ଵାଲଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ବଣ୍ଟି ଅଗ୍ରୱାଲଙ୍କୁ ନୂଆପଡ଼ା ପୁଲିସ ହରିଆଣା ରାଜ୍ୟରୁ ଗିରଫ କରି ନୂଆପଡ଼ାକୁ ଆଣିଥିଲା। ସେହିପରି ତାଙ୍କ ବାପା ରାଜେନ୍ଦ୍ର ପ୍ରସାଦ ଅଗ୍ରଓ୍ଵାଲ ଓ ପତ୍ନୀ ସବିତା ଅଗ୍ରଓ୍ଵାଲଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏ ସଂପର୍କରେ ନୂଆପଡ଼ା ଏସ୍‌ପି ସ୍ମିଥ ପରମାର ମଙ୍ଗଳବାର ନୂୂଆପଡ଼ା ଠାରେ ଏକ ସାମ୍ବଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ନୂୂଆପଡ଼ା ପୁଲିସ ଠିକାଦାର ବଣ୍ଟିଙ୍କୁ ନୂଆପଡ଼ା ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ହାଜର କରିଥିଲା। ଏହା ପରେ ପୁଲିସ ତାଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ହେଲେ କୋର୍ଟର ନିର୍ଦେଶ ଅନୁସାରେ ପୁଲିସ ତାଙ୍କୁ ମାତ୍ର ୩ ଦିନିଆ ରିମାଣ୍ଡରେ ନେଇଛି। ବଣ୍ଟିଙ୍କ ବାପା ରାଜେନ୍ଦ୍ର ପ୍ରସାଦ ଓ ପତ୍ନୀ ସବିତାଙ୍କୁ ଖଡ଼ିଆଳ ଥାନାକୁ ଆଣି ଜେରା କରାଯାଇଥିଲା। ଉଭୟଙ୍କୁ ଖଡ଼ିଆଳ ଉନ୍ନୀତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀ ମାଇନା ପରେ ଖଡ଼ିଆଳ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ହାଜର କରାଯାଇଥିଲା। ସେମାନଙ୍କ ଜାମିନ ଆବେଦନ ଖାରଜ ହୋଇଯିବାରୁ ଉଭୟଙ୍କୁ ଖଡ଼ିଆଳ ସବଜେଲକୁ ପଠାଇ ଦିଆଯାଇଥିଲା।

ବଣ୍ଟି ଅଗ୍ରଓ୍ଵାଲ କୋଟି କୋଟି ଟଙ୍କାର ଟିଟିଆର୍‌ ଚଞ୍ଚକତା କରି ପଶ୍ଚିମ ଓଡ଼ିଶାର ନୂଆପଡ଼ା, କଲାହାଣ୍ଡି, ବଲାଙ୍ଗୀର, ବରଗଡ଼, ନବରଙ୍ଗପୁର ଜିଲ୍ଲାରେ ବହୁ ଠିକା କାମ ହାତେଇଥିଲେ। ଏନେଇ ଅଭିଯୋଗ ହେବା ପରେ ତାଙ୍କ ନାମରେ ନୂଆପଡ଼ା ଥାନରେ ଗୋଟିଏ, ଖଡ଼ିଆଳ ଥାନାରେ ୨ଟି, ନବରଙ୍ଗପୁର ଜିଲ୍ଲା ସଦର ଥାନାରେ ୨ଟି, କଲାହାଣ୍ଡି ଜିଲ୍ଲା ଭବାନୀପାଟଣା ଥାନାରେ ୨ଟି, ଧର୍ମଗଡ଼ ଥାନାରେ ଗୋଟିଏ, କେସିଙ୍ଗା ଥାନାରେ ଗୋଟିଏ, ବରଗଡ଼ ସଦର ଥାନାରେ ଗୋଟିଏ ମାମଲା ରୁଜୁ ହୋଇଥିଲା। ବଣ୍ଟିଙ୍କ ସହିତ ଜାଲିଆତିରେ ସଂଶ୍ଳିଷ୍ଟ ଥିବା ଅନ୍ୟମାନଙ୍କ ସଂପର୍କରେ ମଧ୍ୟ ତଦନ୍ତ ଜାରି ରହିଛି ବୋଲି ନୂଆପଡ଼ା ପୁଲିସଠାରୁ ପ୍ରକାଶ।

ସମ୍ବନ୍ଧିତ ଖବର