ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଥମ ଦଳ ଭାବେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ଘାସିରାମ ମାଝୀଙ୍କୁ ଦଳ ପ୍ରାର୍ଥୀ କରିଛି। ଶ୍ରୀ ମାଝୀଙ୍କୁ ଦଳର ପ୍ରାର୍ଥୀ ଭାବେ ଏଆଇସିସି ପକ୍ଷରୁ ନାମ ଘୋଷଣା କରାଯାଇଛି।
ଆସନ୍ତା ନଭେମ୍ବର ୧୧ ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ। ଏଥି ପାଇଁ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଦେଇଛି। ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟିର ସଭାପତି ଘାସିରାମ ମାଝୀଙ୍କୁ ଦଳୀୟ ପ୍ରାର୍ଥୀ କରିବା ପାଇଁ ସୋମବାର ପିସିସି ସଭାପତି ଭକ୍ତ ଚରଣ ଦାସ ଓ ପିସିସିର ରାଜନୈତିକ ବ୍ୟାପାର କମିଟିର ସର୍ବସମ୍ମତ ପ୍ରସ୍ତାବରେ ମଙ୍ଗଳବାର ମୋହର ଲଗାଇଛି ଏଆଇସିସି। ଆଜି ଏହି ମର୍ମରେ ଏଆଇସିସି ପକ୍ଷରୁ ସାଧାରଣ ସଂପାଦକ (ସଙ୍ଗଠନ) ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଶ୍ରୀ ମାଝୀଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷିତ ହେବାପରେ ଦଳୀୟ ମହଲରେ ଆନନ୍ଦ ପ୍ରକାଶ ପାଇଛି।
ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରଠାରୁ ସମ୍ଭାବ୍ୟ ଉପନିର୍ବାଚନ ନେଇ ରାଜ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ମୂଳରୁ ହିଁ ଶ୍ରୀ ମାଝୀ ଦଳର ପ୍ରାର୍ଥୀ ହେବେ ବୋଲି ପିସିସି ସଭାପତିଙ୍କ ଅନୁମାନ ସତ୍ୟ ହୋଇଛି।
୨୦୨୪ ନିର୍ବାଚନକୁ ମିଶାଇ ଶ୍ରୀ ମାଝୀ ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୩ ଥର ଲଢି ହାରିଥିଲେ। ୨୦୧୪ ଓ ୨୦୧୯ରେ ସେ କଂଗ୍ରେସ ଦଳର ପ୍ରାର୍ଥୀ ହୋଇଥିବା ବେଳେ ୨୦୨୪ ନିର୍ବାଚନରେ ତାଙ୍କୁ ଦଳୀୟ ଟିକଟ ନ ମିଳିବାରୁ ସେ ସ୍ବାଧୀନ ଭାବେ ଲଢି ୫୦ ହଜାର ୯୪୧ ଖଣ୍ଡ ଭୋଟ୍ ପାଇବା ସହ ଦ୍ବିତୀୟ ସ୍ଥାନରେ ଥିଲେ। କଂଗ୍ରେସର ଦଳୀୟ ପ୍ରାର୍ଥୀ ତଥା ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ୧୫ ହଜାରରୁ ଅଧିକ ଭୋଟ ପାଇଥିବାରୁ କଂଗ୍ରେସ ଖାତାରେ ୬୫ ହଜାରରୁ ଅଧିକ ଭୋଟ୍ ଥିବା ନେଇ ପିସିସି ସଭାପତି ଆକଳନ କରିଆସୁଥିଲେ। ତେଣୁ ଏ ଥର ସେ ଜିତିବାରେ ଅସୁବିଧା ହେବନାହିଁ ବୋଲି ଶ୍ରୀ ଦାସ ଦୃଢୋକ୍ତି ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ବିଜେଡି ଓ ବିଜେପି କାହାକୁ ପ୍ରାର୍ଥୀ କରିବେ ସେ ନେଇ ଦ୍ବନ୍ଦ୍ବରେ ଅଛନ୍ତି। ଆହୁରି ମଧ୍ୟ ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପିସିସି ସଭାପତିଙ୍କ ଲୋକସଭା କ୍ଷେତ୍ର କଳାହାଣ୍ଡିର ଅଂଶବିଶେଷ ହୋଇଥିବାରୁ କଂଗ୍ରେସ ପ୍ରଚାର ଦୃଷ୍ଟିରୁ ଆଗୁଆ ଥିବା ସ୍ପଷ୍ଟ ହୋଇଛି। ଶ୍ରୀ ଦାସ ଗତ ସୋମବାରଠାରୁ ନୂଆପଡ଼ାରେ ୪ ଦିନ ପାଇଁ ଡେରା ପକାଇ ଅଛନ୍ତି। ପ୍ରଥମ ଦିନର ରାଲିରେ କର୍ମୀମାନେ ଉତ୍ସାହିତ ଦେଖାଯାଇଥିଲେ।
Nuapada | Assembly election
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/10/07/new-project-8-2025-10-07-20-51-50.jpg)