ନୂଆପଡ଼ାରେ ଭ୍ରୂଣକୁ ଖୁମ୍ପିଲେ କୁକୁଡ଼ା

ଗୁଡ଼ଭେଲା: ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ ନୂଆପଡ଼ା ଗ୍ରାମ ଶିବ ମନ୍ଦିର ନିକଟରେ ଏକ ଭ୍ରୂଣକୁ କୁକୁଡ଼ା ଖୁମ୍ପୁଥିବା ଦେଖା ଯାଇଥିଲା। ଖବର ପାଇ ତୁଷରା ପୁଲିସ ଭ୍ରୂଣ ଜବତ କରି ଡାକ୍ତରଙ୍କୁ ହସ୍ତାନ୍ତର କରିଥିଲା। ଏହାକୁ ଡାକ୍ତରଖାନାରେ ସଂରକ୍ଷଣ କରି ରଖା ଯାଇଛି। ବୁଧବାର ସକାଳ ପ୍ରାୟ ସାଢ଼େ ଆଠଟା ବେଳେ ନୂଆପଡ଼ା ଗ୍ରାମର ଶିବ ମନ୍ଦିର ପରିସର ଏକ କୋଣରେ ପଲିଥିନ ପ୍ୟାକେଟରେ ଥିବା କିଛି ଜିନିଷକୁ କୁକୁଡ଼ା ଖୁମ୍ପି ଖାଉଥିବା ଦେଖା ଯାଇଥିଲା। ପରେ ଏଥିରେ ଏକ ଅପରିପକ୍ୱ ଶିଶୁର ଭ୍ରୁଣ ଥିବା ଦେଖା ଯାଇଥିଲା। ଗ୍ରାମବାସୀଙ୍କଠାରୁ ସୂଚନା ପାଇ ତୁଷରା ପୁଲିସ ଏହାକୁ ଜବତ କରି ଡାକ୍ତରଖାନାକୁ ହସ୍ତାନ୍ତର କରିଥିଲେ। ସିଏଚସି ଚିକିତ୍ସାଧିକାରୀ ଡା. ଲଲାଟେନ୍ଦୁ ନାୟକଙ୍କ ସୂଚନା ଅନୁସାରେ ଏହା ପ୍ରାୟ ୨୦ ସପ୍ତାହର ଭ୍ରୂଣ। ତେଣୁ ଏହାର ଲିଙ୍ଗ ଜଣା ପଡ଼ୁ ନାହିଁ। ପରବର୍ତ୍ତୀ ପୁଲିସ କାର୍ଯ୍ୟାନୁଷ୍ଠାନ ପାଇଁ ଏହାକୁ ତୁଷରା ଡାକ୍ତରଖାନାରେ ସଂରକ୍ଷିତ ରଖା ଯାଇଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର