ରାସ୍ତା ଜବରଦଖଲ କରି ଘର ତିଆରି ଘଟଣା:ଉପଜିଲ୍ଲାପାଳଙ୍କ ନିର୍ଦେଶକୁ ବେଖାତିର

ଚିଲିଗୁଡ଼ା: ଜୁନାଗଡ଼ ବ୍ଲକ୍‌ ଅନ୍ତର୍ଗତ ଚାରବାହାଲ ଗ୍ରାମର ଓ୍ଵାର୍ଡ ନମ୍ବର ୮ ସାହୁପଡ଼ା ରାସ୍ତାକୁ ଦୟାରାମ ସାହୁ ନାମକ ଜଣେ ବ୍ୟକ୍ତି ଜବରଦଖଲ କରି ଘର ତିଆରି କରୁଥିବା ଦେଖିବାକୁ ମିଳୁଛି। ଗତ କିଛିଦିନ ତଳେ ପଡ଼ାବାସୀଙ୍କ ଅଭିଯୋଗ ପରେ ଧର୍ମଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ବେହେରା ଘଟଣାସ୍ଥଳକୁ ଯାଇ ଘର ନିର୍ମାଣ କାମ ବନ୍ଦ କରିବା ପାଇଁ ଦୟାରାମଙ୍କୁ ନିର୍ଦେଶ ଦେଇଥିଲେ। ଏହାପରେ ଦୟାରାମ କିଛି ଦିନ ନିର୍ମାଣ କାମ ବନ୍ଦ କରିଥିବା ବେଳେ ଏବେ ପୁଣି ଥରେ ଘର ନିର୍ମାଣ କାମ ଆରମ୍ଭ କରିଥିବା ଦେଖିବାକୁ ମିଳୁଛି।

ଉପଜିଲ୍ଲାପାଳଙ୍କ ନିର୍ଦେଶକୁ ମଧ୍ୟ ଦୟାରାମ ବେଖାତିର କରି ନିର୍ମାଣ କାମ ଚଳାଇଛନ୍ତି। ଏ ନେଇ ଧର୍ମଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ବେହେରାଙ୍କୁ ପଚାରିବାରୁ ଘର ନିର୍ମାଣ କରୁଥିଲେ ମଧ୍ୟ ତାହା ଭଙ୍ଗା ଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ଉଲ୍ଲେଖନୀୟ ଯେ ଗତ କିଛି ଦିନ ତଳେ ସାହୁପଡ଼ା ରାସ୍ତାକୁ ଦୟାରାମ ନିଜ ସ୍ଥାନ କହି କଂକ୍ରିଟ ରାସ୍ତାକୁ ଫଟେଇ ଘର ତିଆରି କରିବା ପାଇଁ ଗାତ ଖୋଲିଥିଲେ। ଏ ନେଇ ପଡ଼ାବାସୀ ଦୟାରାମଙ୍କୁ ରାସ୍ତାରେ ଗାତ ନଖୋଲିବା ପାଇଁ କହିବାରୁ ପଡ଼ାବାସୀଙ୍କ ସହ ଦୟାରାମଙ୍କ କଥା କଟାକଟି ହୋଇଥିଲା। ପରେ ଏହି ସମସ୍ୟା ନେଇ ପଡ଼ାବାସୀ ସ୍ଥାନୀୟ ସରପଞ୍ଚ ସୁଶିଲା ଦଳପତିଙ୍କୁ ଜଣାଇଥିଲେ। ସରପଞ୍ଚ ପଡ଼ାବାସୀଙ୍କ କଥାକୁ ଗୁରୁତ୍ୱ ଦେଇ ଏହି ସମସ୍ୟାର ସମାଧାନ କରିବା ପାଇଁ ଜୁନାଗଡ଼ ତହସିଲଦାର, ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ।

ସମ୍ବନ୍ଧିତ ଖବର