ନୂଆପଡ଼ାରେ ବିକ୍ରି ହେଉଛି ଚୋରା ମଦ, ଛତିଶଗଡ଼ରୁ ଚାଲିଛି କାରବାର

ନୂଆପଡ଼ା: ଦେଶରେ କୋଭିଡ୍ -୧୯ ସଂକ୍ରମଣ ରୋକିବା ପାଇଁ ଲକଡ଼ାଉନ -୪ ଚାଲିଛି। ତେବେ ଛତିଶଗଡ଼ ସରକାର ରାଜ୍ୟରେ ମଦ ଦୋକାନ ଖୋଲିବାକୁ ‌ନିର୍ଦ୍ଦେଶ ଦେଇଛନ୍ତି। ଆଉ ଏହାର ଫାଇଦା ନେଉଛନ୍ତି ଓଡ଼ିଶା ମଦ ବେପାରୀ | ନୂଆପଡ଼ା ଜିଲ୍ଲା ଛତିଶଗଡ଼ ସୀମାନ୍ତରେ ଥିବା ଗାଁମାନଙ୍କରେ ପ୍ରଚୁର ଚୋରା ମଦ ବିକ୍ରୀ ହୋଇଥିବା ଦେଖିବାକୁ ମିଲିଛି। ଜିଲ୍ଲାରେ ଛତିଶଗଡ଼ର ମଦ ପ୍ରଚୁର ପରିମାଣରେ ବିକ୍ରି ହୋଇଥିଲେ ମଧ୍ୟ ଜିଲ୍ଲା ପୁଲିସ ଓ ଅବକାରୀ ବିଭାଗଠାରେ ଖବର ନଥିବା ଜଣାପଡିଛି । ଏଠାରେ ସୂଚନା ଥାଉ କି ନୂଆପଡ଼ା ଜିଲ୍ଲା‌ ସିନାପାଲି ବ୍ଳକରେ ବହୁ ପରିମାଣରେ ଛତିଶଗଡ଼ ମଦ ବିକ୍ରି ହୋଇଥିବା ଦେଖିବାକୁ ମିଲିଛି। ସିନାପାଲି ବ୍ଳକ ଛତିଶଗଡ଼ ସୀମାନ୍ତରୁ ମାତ୍ର ୮ କିମି ଦୂରରେ ରହିଛି।

ଓଡ଼ିଶାରେ ମଦ ବନ୍ଦ ଥିବାରୁ ମଦ ବେପାରୀ ମାନେ ଛତିଶଗଡ଼ ସୀମାନ୍ତକୁ ଯାଇ ବହୁ ପରିମାଣରେ ମଦ ଆଣି ସିନାପାଲି ବ୍ଳକର ବିଭିନ୍ନ ଗାଁରେ ବିକ୍ରି କରୁଛନ୍ତି । ସେପରି ସିନାପାଲି ସୀମାନ୍ତରେ ଥିବା ନୂଆମାଲପଡ଼ା, କୁଶୁମଜୋର, ପଲଶୀପାଣି, ବ୍ରହ୍ମଣୀପଡ଼ା, ସିଙ୍ଗଝର ଗ୍ରାମରେ ବହୁ ପରିମାଣର ଛତିଶଗଡ଼ ମଦ ଚଢ଼ାଦରରେ ବିକ୍ରି ହୋଇଛି।

ମଦ ବେପାରୀମାନେ ପୁଲିସ ଓ ଅବକାରୀ କର୍ମଚାରୀଙ୍କୁ ଖାତିର ନକରି ସିନାପାଲି ବ୍ଳକ ସଦରମହକୁମାଠାରେ ମଧ୍ୟ ମଦ ବିକ୍ରି କରୁଛନ୍ତି। ସେପରି ଧରମବନ୍ଧା ଓ ବେଲଟୁକୁରୀ ଥାନା ଅନ୍ତର୍ଗତ ବହୁ ଗାଁ ଛତିଶଗଡ଼ ସୀମାରେ ଥିବାରୁ ମଦ ବେପାରୀମାନେ ମନଇଛା ମଦ ଆଣି ବିକ୍ରି କରୁଛନ୍ତି। ଏସବୁ ଭିତରେ କିନ୍ତୁ ପୁଲିସ ଓ ଅବକାରୀ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଜିଲ୍ଲାବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏହା ଉପରେ ନୂଆପଡ଼ା ଏସପି ତୁରନ୍ତ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର