ଇନ୍ଦ୍ରାବତୀ ମାଇନର କେନାଲ ଭୁଶୁଡ଼ିଲା:୨୦ ଏକର ଚାଷଜମି ଜଳମଗ୍ନ

କୋକସରା: କୋକସରା ଓ ଜୟପାଟଣା ସୀମାରେ ଥିବା ରଣମାଲ ପଞ୍ଚାୟତ ମୋତେଲଗୁଡା ଠାରୁ ଅରେବେଡା ସଂଯୋଗ କରିଥିବା ଇନ୍ଦ୍ରାବତୀ ମାଇନର କେନାଲ ମୋତେଲଗୁଡ଼ା ନିକଟରେ ବୁଧବାର ଭୁଶୁଡ଼ି ଯାଇଛି। ଫଳରେ ପ୍ରାୟ ୨୦ଏକର ଚାଷ ଜମି ଜଳମଗ୍ନ ହୋଇଛି। ଇନ୍ଦ୍ରାବତୀ କେନାଲ ଜରିଆରେ ଜଳ ସେଚନ କରାଯାଇ ପ୍ରତିବର୍ଷ ଡାଳୁଅ ଧାନଚାଷ କରାଯାଉଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟଏହି ଅଞ୍ଚଳରେ ଜାନୁଆରି ମାସରେ କେନାଲରେ ପଣି ଛଡ଼ାଯାଇଥିଲା। କେନାଲ ଜରିଆରେ ଚାଷ ଜମିକୁ ପାଣି ପହଞ୍ଚିବା ପରେ ଚାଷୀମାନେ ଧାନ ଚାଷ ପାଇଁ ଲାଗିପଡ଼ିଥିଲେ। ତଦନୁସାରେ ମୋତେଲଗୁଡା ଗାଁର ଚାଷୀମାନେ ମଧ୍ୟ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ଜମିକୁ ପାଣି ମଡ଼ାଇ ରୋପଣ ସଜବାଜ ହେଉଥିଲେ। ହଠାତ ବୁଧବାର ସକାଳେ ମୋତେଲଗୁଡା ନିକଟରେ କେନାଲ ଭୁଶୁଡ଼ି ଯାଇଥିଲା।

ଫଳରେ କେନାଲ ପାଣି ରୋପଣ ପାଇଁ ଅଙ୍କୁରିଥିବା ପହ୍ଲା ଉପରେ ମାଡ଼ି ଯାଇଥିଲା। ଖବର ପାଇ ଚାଷୀମାନେ ଘଟଣାସ୍ଥଳକୁ ପହଞ୍ଚିଲା ବେଳକୁ ୧୦ହେକ୍ଟର ଚାଷ ଜମି ଜଳମଗ୍ନ ହୋଇସାରିଥିବା ଦେଖିବାକୁ ମିଳିଥିଲା ବୋଲି ମୋତେଲଗୁଡା ଗ୍ରାମର ଚାଷୀ ଭାଗିରଥୀ ବେମାଲ, ଭୁବନେଶ୍ୱର ବେମାଲ, ଦୁର୍ବଲ ଘି, ତୁସାରକାନ୍ତ ବେମାଲ, ଗିରିଶ ଚନ୍ଦ୍ର ବେମାଲ, ରତ୍ନାକର ଛତ୍ରିଆ ଓ ମହିଳା ଇନ୍ଦ୍ରା ବେମାଲ ପ୍ରମୁଖ ପ୍ରକାଶ କରିଛନ୍ତି। ତୁରନ୍ତ କେନାଲ ମରାମତି ନ କଲେ ମୋତେଲଗୁଡ଼ା ଅଞ୍ଚଳରେ ଚାଷ କାର୍ଯ୍ୟ ବାଧକ ସାଜିବ ବୋଲି ଚାଷୀମାନେ କହିଛନ୍ତି। ସମାନ ସ୍ଥାନରେ କେନାଲ ଭୁଶୁଡ଼ୁଥିବାରୁ ଏହାର ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚାଷୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ କୁଷୁମଖୁଣ୍ଟି ଇନ୍ଦ୍ରାବତୀ କେନାଲ ଡିଭିଜନର କାଯ୍ୟର୍ ନିର୍ବାହୀ ଯନ୍ତ୍ରୀ ଭିକାରୀ ଚରଣ ବେହେରାକୁ ପଚାରିବାରୁ ସଂପୃକ୍ତ କେନାଲରେ ପ୍ରବାହିତ ହେଉଥିବା ପାଣି ବନ୍ଦ କରାଯାଇଛି। ଗୁରବାର ମେସିନ ଲଗାଇ ଭୁଶୁଡ଼ିଥିବା କେନାଲର ମରାମତି କରାଯିବ ବୋଲି କହିଥିଲେ। ଅନ୍ୟପଟେ ଜୟପାଟଣା ତହସିଲଦାର ମନୋଜ ପାଢ଼ୀକୁ ପଚାରିବାରୁ ମୋତେଲଗୁଡା ନିକଟରେ କେନାଲ ଭୁଶୁଡିବା ସମ୍ପର୍କରେ କୌଣସି ସୂଚନା ନାହିଁ। ତେବେ ଗୁରୁବାର ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଆଯିବ ନେବେ ବୋଲି ତହସିଲଦାର ଶ୍ରୀ ପାଢ଼ୀ କହିଥିଲେ।

ସମ୍ବନ୍ଧିତ ଖବର