ହୋମଗାର୍ଡଙ୍କ ବର୍ବରତା: ବାବାଙ୍କ ସମାଧି ଉପାଡ଼ି ଫିଙ୍ଗିଦେଲେ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଞ୍ଚଳରେ ମୃତ୍ୟୁ ପରେ ଜଣେ ମହିମା ଧର୍ମାବଲମ୍ବୀ ବାବାଙ୍କୁ ଶିଷ୍ୟମାନେ ମଠ ପରିସରସ୍ଥ ସରକାରୀ ଜମିରେ ଗତ ୮ ତାରିଖରେ ସାମାଧି ଦେଇଥିଲେ। ହେଲେ ଉକ୍ତ ଜମିକୁ ନିଜର ବୋଲି ଦାବି କରୁଥିବା ଜଣେ ହୋମଗାର୍ଡ ଉକ୍ତ ସମାଧିସ୍ଥ ବାବାଙ୍କୁ ବାହାରକୁ କାଢ଼ି ଫୋପାଡ଼ି ଦେଇଛନ୍ତି। ଯାହାକି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏ ସଂପର୍କରେ ମଠର ଅନ୍ୟ ବାବାମାନେ ସିନାପାଲି ଥାନାରେ ଅଭିଯୋଗ କରିବାର ୫ ଦିନ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ସହ ସଂପୃକ୍ତ ହୋମଗାର୍ଡଙ୍କୁ ସୁରକ୍ଷା ଦିଆଯାଉଥିବା ଅଭିଯୋଗ ହେଉଛି।
ମିଳିଥିବା ସୂଚନାମତେ, ସିନାପାଲି ଥାନା ଘଣ୍ଟିଗୁଡ଼ା ପଞ୍ଚାୟତ ଶରଧାପୁର ଗାଁରେ ୩୫ ବର୍ଷରୁ ଅଧିକ ହେଲା ଅଲେଖ ମହିମା ଧର୍ମାବଲମ୍ବୀ ବାବା ଓ ଶିଷ୍ୟମାନେ ରହି ଆସୁଛନ୍ତି। ସେମାନେ ଉକ୍ତ ଗାଁର କିଛି ସରକାରୀ ଜମିରେ ମଠ ନିର୍ମାଣ କରି ରହୁଛନ୍ତି।

କିନ୍ତୁ ସେହି ଗ୍ରାମର ନାରାୟଣ ମଙ୍ଗରାଜ ସିନାପାଲି ପୁଲିସ ବିଭାଗରେ ହୋମଗାର୍ଡ ଭାବରେ କାମ କରୁଥିବା ବେଳେ ବାବାମାନେ ରହୁଥିବା ଜମି ନିଜର ବୋଲି ଦାବି କରିବା ସହ ବିଭିନ୍ନ ସମୟରେ ଝଗଡ଼ା କରି ଆସୁଛନ୍ତି। ଏପରିକି ଉକ୍ତ ଜମି ନ ଛାଡ଼ିଲେ ଜୀବନରେ ମାରିଦେବା ପାଇଁ ଧମକ ଚମକ ଦେଇ ଆସୁଥଲେ। ଇତିମଧ୍ୟରେ ଗତ ୮ ତାରିଖ ଦିନ ବାବା ଅମ୍ବୁଧର ଦାସଙ୍କ ଦେହାନ୍ତ ହୋଇଥିଲା। ତାଙ୍କୁ ଅନ୍ୟ ବାବା ଓ ଶିଷ୍ୟମାନେ ନିକଟସ୍ଥ ଜମିରେ ସମାଧି ଦେଇଥିଲେ। କିନ୍ତୁ ନିଜର ଜମି ବୋଲି ଦାବି କରୁଥିବା ହୋମଗାର୍ଡ ଶ୍ରୀ ମଙ୍ଗରାଜ ସମାଧି ଭାଙ୍ଗି ଦେବା ସହ ଶବକୁ ଫୋପାଡ଼ି ଦେଇଛନ୍ତି। ଏ ବିଷୟରେ ଜଣା ପଡ଼ିବା ପରେ ବାବାମାନେ ସିନାପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ହେଲେ ଅଭିଯୋଗର ୫ ଦିନ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ବୁଧବାର ମଠର ଶତାଧିକ ବାବା ଓ ଶିଷ୍ୟମାନେ ଖଡ଼ିଆଳ ଏସଡିପିଓଙ୍କ ଠାରେ ଅଭିଯୋଗ କରିଛନ୍ତି। ପଞ୍ଚାୟତବାସୀ ସରକାରୀ ଜମିରେ ମଠ କରି ବାବାମାନଙ୍କୁ ଅନୁମତି ଦେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ତୁରନ୍ତ ନ୍ୟାୟ ମିଳିଲେ ଏସ୍‌ପିଙ୍କ ଦ୍ୱାରସ୍ଥ ହେବେ ବୋଲି ବାବା ଅରବିନ୍ଦଙ୍କ ସମେତ ଲକ୍ଷ୍ମଣ ମାଝୀ, ତ୍ରିନାଥ ମାଝୀ, ମକୁନ୍ଦ ମାଝୀ, ସୋମନାଥ ମାଝୀ, ଶରତ ମାଝୀ,ଦିନ ମାଝୀ, ମନ ମାଝୀ, ଡମ୍ବରୁ ମାଝୀ, କମଳ ମାଝୀ, କୋଦୋ ମାଝୀ ସମେତ ବହୁ ଶିଷ୍ୟ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର