ନୂଆପଡ଼ାର ଇଷ୍ଟ ଦେବତା ‘କଣାଭୈରା’ଙ୍କ ଉପରେ ଏ ପର୍ଯ୍ୟନ୍ତ ହୋଇନାହିଁ ବିଶେଷ ଗବେଷଣା

ନୂଆପଡ଼ା: ନୂଆପଡ଼ା ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ “କଣାଭୈରା”। କେଉଁ ଆବହମାନ କାଳରୁ “କଣାଭୈରା”ଙ୍କୁ ଦେବତା ରୂପେ ପୂଜାର୍ଚ୍ଚନା କରାଯାଏ ଓ ଆଞ୍ଚଳିକ ପରିଭାଷା ଅନୁସାରେ “ମହାରାଜ” ରୂପେ ବିଦିତ। ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୮ କି ମି ଦୂରତାରେ ଅବସ୍ଥିତ ଟାନବାଟ ଗ୍ରାମର ଡଙ୍ଗର ଗୋସେନ ପାହାଡ଼ ଓ ପଦ୍ମ ସାଗରର ମଧ୍ୟରେ ଏକ ଛୋଟ ମନ୍ଦିରରେ କଣାଭୈରାଙ୍କ ଆସ୍ଥାନ ରହିଛି।
ଲୋକମତ ଅନୁସାରେ ଅତୀତରେ ମହାମାରୀଜନିତ ବ୍ୟାଧି ତଥା ଅନେକ ପ୍ରକାର ବିପଦରୁ ଅଞ୍ଚଳକୁ ସୁରକ୍ଷା କବଚ ରୂପେ ବିପଦମୁକ୍ତ କରିଥିବାରୁ “କଣାଭୈରା”ଙ୍କୁ ଦେବତା ରୂପେ ଆଖ୍ୟା ଦିଆଯାଏ।

ଦଶହରା ସମୟରେ ଦେବତାଙ୍କ ଦଶ ଦିନାତ୍ମକ ସ୍ଵତନ୍ତ୍ର ପୂଜା ଯଥାରୀତି ଓ ବିଧି ଅନୁସାରେ ଉଭୟ ତାନବାଟ ଓ ନୂଆପଡା ସ୍ଥିତ ମନ୍ଦିରରେ ହୁଏ। ଏହି ଦଶ ଦିନ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ବିଶେଷ ସମାଗମ ହୁଏ। ଏତଦ ବ୍ୟତୀତ ବର୍ଷ ତମାମ ମଙ୍ଗଳବାରକୁ ଦେବତାଙ୍କ ଦିନ ରୂପେ ଶ୍ରଦ୍ଧାଳୁ ଗ୍ରହଣ କରନ୍ତି। କୌଣସି ଯାତ୍ରା ଆଦି ଆରମ୍ଭ କରିବା ପୂର୍ବରୁ ଏହି ଦେବତାଙ୍କୁ ଅନେକ ଲୋକ ସ୍ମରଣ କରିଥାନ୍ତି. ଏହାଦ୍ୱାରା ଯାତ୍ରା ସୁଖଦ ହୁଏ ବୋଲି ଏଠିକାର ଜନତାଙ୍କ ଦୃଢ଼ ବିଶ୍ୱାସ। ବିପଦକୁ ଆଡ଼େଇବା ପାଇଁ ମଧ୍ୟ ଦେବତାଙ୍କୁ ସ୍ମରଣ କରାଯାଏ। ପ୍ରାୟତଃ ପ୍ରତ୍ୟେକ ଘରେ ଏହି କଣାଭୈରାଙ୍କୁ ବିଶେଷ ସମ୍ମାନ ଦିଆଯାଏ।
କହିବା ବାହୁଲ୍ୟ, ଏହା ଏକ ଅନନ୍ୟ ପରମ୍ପରା ଓ ଦୀର୍ଘ ବର୍ଷ ହେଲା ଚାଲି ଆସିଛି, ଅଥଚ ଏହା ଉପରେ ଏ ପର୍ଯ୍ୟନ୍ତ ବିଶେଷ କିଛି ଗବେଷଣା ହୋଇନାହିଁ।
-ଡ଼କ୍ଟର କମଳ କିଶୋର ପଣ୍ଡା
ପି ଏଚ ଡ଼ି, ଜେ ଏନ ୟୁ, ସମାଜସେବୀ

 

ସମ୍ବନ୍ଧିତ ଖବର