ଋଣ ହଡ଼ପ ଘଟଣା:ଏଆର୍‌ସିଏସ୍‌ ଅଫିସ ଘେରିଲେ ଚାଷୀ

ନୂଆପଡ଼ା: କୋମନା ବ୍ଲକ୍‌ କୋମନା ବ୍ଲକ୍‌ ଗଣ୍ଡାମେର ପଞ୍ଚାୟତ କଣ୍ଟାପାଲି ଗ୍ରାମର ୩୦ରୁ ଅଧିକ ଚାଷୀଙ୍କ ଲକ୍ଷାଧିକ ଟଙ୍କା ଋଣ ଟଙ୍କା ହଡ଼ପ ଘଟଣାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ଚାଷୀମାନେ ଶୁକ୍ରବାର ଏଆର୍‌ସିଏସ୍‌ ଅଫିସ ଘେରାଉ କରିଥିଲେ। ପରେ ଏଆର୍‌ସିଏସ୍‌ଙ୍କ ସହ ଆଲୋଚନା ସମୟରେ ଚାଷୀମାନଙ୍କ ମଧ୍ୟରେ ହୃଷୀକେଶ ବିଭାର, ହିରନ ଗଉଡ଼, ଲକ୍ଷ୍ମଣ ଶବର, ତ୍ରିନାଥ ଶବର, ପ୍ରେମ ଶବର, ସଦାନନ୍ଦ ହଂସ, ଅସମତୀ ହଂସ, ଡମୁ ଶବର, ଗୋପାଲ ଶବର, ପୂର୍ଣ୍ଣ ହଂସ, ମୋହନଲାଲ ଶବର, ତ୍ରିଭୁବନ ଶବର, ପୂର୍ଣ୍ଣଚନ୍ଦ୍ର ଶବର, ମନ୍ଦେଲାଲ ଶବର, ରାଜନ ଶବର, ଫାଲଗୁନୀ ବେମାଲ, ଗୁନଚା ଗଉଡ଼, ହିରାଦାସ ଶବର, କୁମର ଶବର, ଜଗନ୍ନାଥ ଶବର ପ୍ରମୁଖ ଉପସ୍ଥିତ ଥିଲେ।
ଅଭିଯୋଗ ଅନୁସାରେ, ୨୦୧୭ ଜୁନ ମାସରେ ରେଙ୍ଗ ଗ୍ରାମର ଅନନ୍ତ ମେହେର ନାମକ ଦଲାଲ ତରବୋଡ଼ ପେକ୍ସରେ ଋଣ ମିଳିବ ବୋଲି କହି କଣ୍ଟାପାଲି ଗାଁର ୩୦ରୁ ଅଧିକ ଚାଷୀଙ୍କ କାଗଜପତ୍ର ନେଇଥିଲେ। ଋଣ ଟଙ୍କା ପରିଶୋଧ କରିବାକୁ ପଡ଼ିବା ନାହିଁ ବୋଲି ମଧ୍ୟ କହିଥିଲେ। କିଛି ମାସ ପରେ ତାଙ୍କ ଋଣ ଟଙ୍କା ହୋଇଯାଇଛି ବୋଲି କହି କୋମନା ବିସିସିବ୍ୟାଙ୍କକୁ ଡାକିଥିଲେ। ସେ କାହାରିକୁ ପାସବୁକ କିମ୍ବା ଚେକ ବହି ନଦେଇ ସେମାନଙ୍କଠାରୁ ଦସ୍ତଖତ ନେଇ ଋଣ ଟଙ୍କାର ଅଧାରୁ ଅଧିକ ନେଇ ଯାଇଥିଲେ ଏବଂ ଦ୍ୱିତୀୟ କିସ୍ତିରେ ପୁଣି ଟଙ୍କା ଦିଆଯିବ ବୋଲି କହିଥିଲେ। ଚାଷୀମାନେ ସାର ଉଠାଇବା ପାଇଁ ପେକ୍ସକୁ ଯାଇଥିବା ବେଳେ ପାସ ବହି ଦଲାଲ ପାଖରେ ଥିବା ଜାଣି ଓ ସେଥିରେ ଟଙ୍କା ଉଠା ଯାଇଥିବା ଜାଣି ପାରିଥିଲେ। ଏନେଇ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଶୁକ୍ରବାର ଚାଷୀମାନେ ଏଆର୍‌ସିଏସ ଅଫିସକୁ ଆସିଥିଲେ।

ସମ୍ବନ୍ଧିତ ଖବର