ଖଡ଼ିଆଳ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଧାରଣା ଦେଲେ ଲୋୟର ଇନ୍ଦ୍ର ବିସ୍ଥାପିତମାନେ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଲୋୟର ଇନ୍ଦ୍ର ବିସ୍ଥାପିତମାନେ ବୁଧବାର ଖଡ଼ିଆଳ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି। ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ କାଳୀମାଟି, ଲମ୍ବିପାଣି, ଦରଗାଁ, ବୋଲଧା, ହରିପୁର, ସନବାହଲି ଓ ପେଣ୍ଡରାବନ୍ଧର ଶତାଧିକ ବିସ୍ଥାପିତ ଆନ୍ଦୋଳନରେ ସାମିଲ୍‌ ହୋଇଛନ୍ତି।
୧୯୯୪ ଥଇଥାନ ନୀତି ଅନୁସାରେ ଏହି ୬ଗୋଟି ଗାଁର ବିସ୍ଥାପିତ ହିତାଧିକାରୀଙ୍କୁ ସରକାରଙ୍କ ୨୦୦୬ ପଲିସିରେ ସାମିଲ୍‌ କରି କ୍ଷତିପୂରଣ ରାଶି ଦେବାପାଇଁ ଦାବି ହୋଇଛି। ସେହିଭଳି ଅଧିନିୟମ ୧୮ରେ ଜଜ୍‌ମେଣ୍ଟ ପ୍ରାପ୍ତ ମକଦ୍ଦମା ଏବଂ ୨୮ (ଏ) ମକଦ୍ଦମା ତ୍ୱରାନ୍ୱିତ କରି ବର୍ଦ୍ଧିତ ହାରରେ କ୍ଷତିପୂରଣ ସହାୟତା ପ୍ରକଳ୍ପର କାମ ଶେଷହେବା ପୂର୍ବରୁ ପ୍ରଦାନ କରିବାକୁ ଦାବି କରିଛନ୍ତି। ଏଥିସହ ପ୍ରକଳ୍ପ ନିର୍ଦେଶକ ତଥା ଥଇଥାନ ଅଧିକାରୀ ନନ୍ଦକିଶୋର ତାଣ୍ଡି ଅଣ ବିସ୍ଥାପିତଙ୍କ ନାମରେ ଟଙ୍କା ହଡ଼ପ କରିଥିବା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଏସବୁ ଦାବି ପୂରଣ ନହେଲେ ଧାରଣା ଜାରି ରହିବ ବୋଲି କହିଛନ୍ତି। ଅନ୍ୟପଟେ ପ୍ରକଳ୍ପ ମୁଖ୍ୟଯନ୍ତ୍ରୀ ବିଭୂତିଭୂଷଣ ଦାସ ଆନ୍ଦୋଳନସ୍ଥଳକୁ ଯାଇ ବିସ୍ଥାପିତଙ୍କ ସହ ଆଲୋଚନା କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଉଗ୍ରସେନ ସିଂ ସାହୁ, ନୀଳକଣ୍ଠ ପ୍ରଧାନ, ଧ୍ରୁବଚରଣ ଦଳ, କିଶୋର ବେହେରା, ହୃଷୀ ବେହେରା, କରୁଣାକର ହୋତା, ନାରାୟଣ ଓ ବିସ୍ଥାପିତ ସହାୟତା ସମିତି ସଭାପତି ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ ସାମିଲ୍‌ ଥିଲେ।

ସମ୍ବନ୍ଧିତ ଖବର