ନୂଆପଡ଼ା: ରଖେ ହରି ତ ମାରେ କିଏ । ଏହି କଥାର ସତ୍ୟତା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲାରେ । ଟ୍ରେନ ତଳୁ ବଂଚିଗଲା ଜୀବନ । ଜୀବନ୍ତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କଲେ ଆରପିଏଫ ଯବାନ । ଆପଣମାନେ ଭାବନ୍ତୁ ତ  ଯେତେବେଳେ ପ୍ଲାଟଫର୍ମରେ ଠିଆ ହୋଇଥାନ୍ତି ଟ୍ରେନ ଆସିଲେ ଆପଣ ଦୂରକୁ ଚାଲିଆସନ୍ତି । କାହିଁକି ନା ଟ୍ରେନର ବେଗ ସହିତ ପବନର ବେଗ ଏତେ ଦ୍ରୁତ ଥାଏ। ମନେହୁଏ ସତେ ଯେମିତି ଆମକୁ ଉଡାଇନେବ । ହେଲେ ଜଣେ ଯୁବକ ଟ୍ରେନ ତଳେ ଶୋଇ ରହିବ ଓ ତା’ ଉପରେ ଟ୍ରେନ ଚାଲିଯିବ ପୁଣି ସେ ଅକ୍ଷତ ରହିବ ଏକଥା କେବଳ ସିନେମାରେ ଦେଖିବାକୁ ମିଳିଥାଏ । କିନ୍ତୁ ଏଭଳି ଏକ ଘଟଣା ନୂଆପଡ଼ା ଜିଲ୍ଲାରୁ ସାମ୍ନାକୁ ଆସିଛି।

Advertisment

ଜଣେ ଯୁବକ ଆତ୍ମହତ୍ୟା କରିବାକୁ ଯାଇ ଟ୍ରେନ୍ ଲାଇନରେ ଶୋଇଥିବା ବେଳେ ତାଙ୍କ ଉପରେ ୧୬ଟି ବଗି ଅତିକ୍ରମ କରି ଚାଲିଗଲା ହେଲେ ଯୁବକ ଜଣକ ଅକ୍ଷତ ଅବସ୍ଥାରେ ଥିଲେ । ସୂଚନା ମୁତାବକ, ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ଅନ୍ତର୍ଗତ ଗୌତମା ଗାଁର ଜଣେ ଯୁବକ  ପାଟିତୁଣ୍ଡ କରି ଘରୁ ବାହାରି ଆସିଥିଲେ । ଜୀବନ ହାରିବା ପାଇଁ ମାଲବାହୀ ଟ୍ରେନ ଆସୁଥିବା ଦେଖି ଟ୍ରାକରେ ଶୋଇ ଯାଇଥିଲେ । ତାଙ୍କୁ ଦେଖିପାରି ଲୋକୋ ପାଇଲଟ ହର୍ଣ୍ଣ ମାରିବା ସହ ଜରୁରୀକାଳୀନ ବ୍ରେକ ମଧ୍ୟ ଦେଇଥିଲେ । ସେତେବେଳକୁ ୪୨ରୁ ୧୬ଟି ବଗି ଯୁବକଙ୍କ ଉପରେ ଅତିକ୍ରମ କରିସାରିଥିଲା । ଯୁବକ ଜଣକ ଟ୍ରାକ ମଝିରେ ରହି ଯାଇଥିବାରୁ ତାଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲେ। ହେଲେ ଭୟରେ ସେ ବେହୋସ ହୋଇ ଯାଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆ ଯାଇଥିଲା ସେଠାରେ ଚିକିତ୍ସା ପରେ ଯୁବକଙ୍କ ହୋସ ଆସିଥିଲା । ତାଙ୍କ ପରିବାର ଲୋକ ହସ୍ପିଟାଲରେ ପହଂଚି ଯୁବକଙ୍କୁ ବୁଝାଶୁଝା କରି ଘରକୁ ନେଇଛନ୍ତି ।