୧୮ ବର୍ଷର କାରାଦଣ୍ଡ ପରେ ଘରକୁ ଫେରିଥିଲା ଭୁବନ, ପରିବାର ଲୋକ ନ ଆପଣେଇବାରୁ ଜୀବନ ହାରିଲା

ନୂଆପଡ଼ା: ଜିଲ୍ଲାର ସଦର ଥାନା ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟସ୍ଥିତ କେଳମେଲି ପଞ୍ଚାୟତର ଗୋଲାବନ୍ଧ ଗାଁ ବାସିନ୍ଦା ଭୁବନ ମାଝୀ  ଦୀର୍ଘ ୧୮ ବର୍ଷ ଧରି ଆଜୀବନ କାରାଦଣ୍ଡ ଭୋଗିବା ପରେ ଜେଲରୁ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ସଂପର୍କୀୟମାନେ ତାଙ୍କୁ ନ ଆପଣେଇବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତକାଲି ଭୁବନ ପେଠିଆପାଲି ଗାଁ‌ ପାଖରେ ଏକ ଗଛରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଖବରଟି ସନ୍ଧ୍ୟାରେ ଜଣା ପଡିବା ପରେ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ନ ଥିଲା।

ଆଜି ନୂଆପଡ଼ା ପୁଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରି ଏକ ମାମଲା ରୁଜ୍ଜୁ କରିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ନୂଆପଡ଼ା ଥାନା ଅଧିକାରୀ ଆଦିତ୍ୟ ମହାକୁଡ଼ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ,  ୨୦୦୧ ମସିହା ଅକ୍ଟୋବରରେ କୌଣସି କାରଣରୁ ସ୍ତ୍ରୀ ପାନ ମାଝିଙ୍କ ସହ ସାମାନ୍ୟ କଥାକୁ ନେଇ ଝଗଡ଼ା ହେବା ପରେ ରାଗରେ ଭୁବନ ଘରେ ଥିବା ଟାଙ୍ଗିଆରେ ସ୍ତ୍ରୀଙ୍କୁ କାଟି ପକାଇଥିଲା । ଫଳରେ ଘଟଣାସ୍ଥଳରେ ପାନଙ୍କର ମୃତ୍ୟୃ ହୋଇଥିଲା। ହତ୍ୟା ଅଭିଯୋଗରେ ଭୁବନଙ୍କୁ ପୁଲିସ ଗିରଫ କରିଥିଲା। ପରେ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ତ ଆଦେଶ ଦେଇଥିଲେ।

ଦୀର୍ଘ ୧୮ ବର୍ଷ ଜେଲ୍ ଦଣ୍ଡ ଭୋଗିବା ପରେ ଗତ ଅକ୍ଟୋବରରେ ମୁକ୍ତ ହୋଇଥିଲେ ଭୁବନ। ଇତି ମଧ୍ୟରେ ତାଙ୍କ ଝିଅ ଦ୍ରୌପଦୀଙ୍କର ବାହାଘର ହୋଇଯାଇଛି । ପୁଅ ମୋହନ ଭୁବନେଶ୍ୱରରେ ପାଠ ପଢୁଛି ।  ଗାଁ ଲୋକେ ତାଙ୍କ ପ୍ରତି ସାମାନ୍ୟ ସମବେଦନା ଦେଖାଇଲେ ନାହିଁ। କାହା ଘର ବାରଣ୍ତା, କେଉଁ ସ୍କୁଲ, ଅଙ୍ଗନବାଡିରେ ଶୋଇ, ଲୋକଙ୍କୁ ମାଗିଯାଚି ଖାଇ ବେଶ୍‌ କିଛି ଦିନ କଟିବା ପରେ ଶେଷରେ ନିରାଶ ହୋଇ ଆଜି ଏକ ଗଛରେ ଦଉଡ଼ି ଲଗାଇ ଭୁବନ ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର