ନୂଆପଡ଼ା: ମାଓ ଶିବିରରୁ ଅନେକ ମାଓ ସାମଗ୍ରୀ ଉଦ୍ଧାର, ଆତ୍ମସମର୍ପଣ କଲେ ଯୁବ ମାଓବାଦୀ

ନୂଆପଡ଼ା: ପୁଲିସକୁ ସଫଳତା ମିଳିଛି। ନୂଆପଡା ଜିଲ୍ଲାରେ ସୋମବାର ଏକ ମାଓ ଶିବିର ଠାବ ହୋଇଥିବା ବେଳେ ମଙ୍ଗଳବାର ଜଣେ ଯୁବ ମାଓବାଦୀ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛି। ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ମାଓବାଦୀ ପୂର୍ଣ୍ଣଚନ୍ଦ୍ର ମାଝୀ ଆଜି ଆତ୍ମସମର୍ପଣ କରିଥିବା ଆରକ୍ଷୀ ଅଧିକ୍ଷକ ସ୍ମିଥ ପରମାର ସୂଚନା ଦେଇଛନ୍ତି।

ଏସ୍‌ପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପରମାର କହିଛନ୍ତି ସରକାରଙ୍କ ଜନକଲ୍ୟାଣ ମୂଳକ ଯୋଜନାରେ ଆକୃଷ୍ଟ ହୋଇ ମାଓବାଦୀମାନେ ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି। ୭୧ତମ ସ୍ୱାଧୀନତା ଦିବସ ପୂର୍ବରୁ ଜଣେ ମାଓବାଦୀ ଭଲ ବାଟକୁ ଫେରି ଆସିବା ନିଶ୍ଚିତ ଭାବରେ ଖୁସିର ବିଷୟ। ଅନ୍ୟ ମାଓବାଦୀମାନେ ମଧ୍ୟ ସ୍ୱାଧୀନତା ଦିବସ ଅବସରରେ ଆତ୍ମସମର୍ପଣ କରନ୍ତୁ ବୋଲି ସେ ଆହ୍ଵାନ କରିଛନ୍ତି। ଯୁବ ମାଓବାଦୀ ପୂର୍ଣ୍ଣଚନ୍ଦ୍ର ୨୦୧୫ରେ ମାଓ ସଂଗଠନରେ ସାମିଲ ହୋଇଥିଲା। ସେ ୨୦୧୭ ଜୁଲାଇରେ ଛତିଶଗଡ଼ର ମେନପୁର-ନୂଆପଡ଼ା ଡିଭିଜନରେ କାମ କରିଥିଲା। ସେହିପରି ସେ ମାଓବାଦୀଙ୍କ ନୂଆପଡ଼ା-ଗରୀଆବନ୍ଧ ଅପରେସନ ସାମିଲ ଥିଲା।

ଆରକ୍ଷୀ ଅଧିକ୍ଷକ ପରମାର କହିଛନ୍ତି, ସୋମବାର ସିଆରପିଏଫ ଓ ଡିଭିଏଫ୍‌ କମାଣ୍ଡୋଙ୍କ ମିଳିତ ଅପରେସନ ସମୟରେ ସିନାପାଲି ଥାନା ଅନ୍ତର୍ଗତ କୁନ୍ଦନଝିଆ ଜଙ୍ଗଲରୁ ମାଓ ଶିବିର ଠାବ ହୋଇଥିଲା। ଶିବିରରୁ ଏକ ରାଇଫଲ, ୯ଟି ଡିଟୋନେଟର, ୩ଟି ଜିଲେଟିନ, ଗୋଟିଏ ବ୍ୟାଟେରି, ୪ଟି ତୀର ଓ ଅନ୍ୟାନ ମାଓ ସାମଗ୍ରୀ ମିଳିଥିଲା।

ସମ୍ବନ୍ଧିତ ଖବର