ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ସାନମହେଶ୍ଵର ଗ୍ରାମ ୩୫୩ ନଂ ଜାତୀୟ ରାଜପଥରେ ଟ୍ରକ୍ ଚାପାରେ ଜଣେ ନାବାଳିକାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ନାବାଳିକା ସାନମହେଶ୍ଵର ଗ୍ରାମର ହର ସୁନାନୀଙ୍କ ପାଞ୍ଚ ବର୍ଷର ଝିଅ ଡିମ୍ପଲ ସୁନାନୀ।

Advertisment

ମିଲିଥିବା ସୂଚନା ଅନୁସାରେ ଖଡ଼ିଆଳ ପଟୁ ରାୟପୁର ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ଟ୍ରକ ସାନମହେଶ୍ଵର ଗ୍ରାମ ନିକଟରେ ମୃତ ଡିମ୍ପଲ ରାସ୍ତା ପାରି ହେଉଥିବା ସମୟରେ ଟ୍ରକ ଚାପାରେ ଆସିଯାଇଥିଲା। ଦୁର୍ଘଟଣା ଏପରି ଭୟଙ୍କର ଥିଲା ଯେ ମୃତକ ଡିମ୍ପଲର ଖଣ୍ଡ ବିଖଣ୍ଡିତ ମୃତଦେହ ଛିଟିକି ପଡ଼ିଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ଘଟାଇ ଟ୍ରକ ଫେରାର୍ ହେଉଥିବା ବେଳେ ସ୍ଥାନୀୟ ଲୋକେ ପିଛା କରି ୧ କିଲୋମିଟର ଦୂର ବମହେଶ୍ଵର ନିକଟରେ ଟ୍ରକ ଟିକୁ ଅଟକାଇ ଥିବାବେଳେ ଡ୍ରାଇଭର୍ ଫେରାର୍ ମାରିଛି।

ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ ମୃତକ ପରିବାରକୁ କ୍ଷତିପୂରଣ ଦାବି ନେଇ ଗ୍ରାମବାସୀ ୩୫୩ ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଏହାଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଖବର ପାଇ ଖଡ଼ିଆଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।