ନୂଆପଡ଼ା : ରବିବାର ଚାର୍ଜରେ ବସିଥିବା ବେଳେ ମୋବାଇଲ୍ ଫୋନ୍ ବିସ୍ଫୋରଣ ଘଟିଛି ନୂଆପଡା ଥାନା କାଲିମାଟି ଗାଁରେ । ଏହି ଘଟଣାରେ ଜଣେ ବାଳକ ଆତ ହୋଇ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ, ମୋବାଇଲ ଚାର୍ଜ କରୁଥିବା ସମୟରେ ହଠାତ ବ୍ୟାଟେରି ଫାଟିଯିବା ଫଳରେ ଗାଁର କୃତିବାସ ମାଝି ନାମକ ଜଣେ ଛାତ୍ର ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ନୂଆପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଅଷ୍ଟମ ଶ୍ରେଣୀ ଛାତ୍ର କୃତିବାସ ତାଙ୍କ ମୋବାଇଲକୁ ସୋଲାର ଲାଇଟରେ ବସାଇ ଚାର୍ଜ କରୁଥିବା ବେଳେ ହଠାତ ବିସ୍ପୋରଣ ହୋଇଥିଲା । ବିସ୍ଫୋରଣରେ କୃତିବାସଙ୍କ ବାମ ହାତରେ ଗଭୀର ଆଘାତ ଲାଗିଛି । ଏହା ସହ ଶରୀରର ଅନ୍ୟ ଅଂଶ ପୋଡିଯାଇଛି ।
ତେବେ ମୋବାଇଲରେ ବିସ୍ଫୋରଣ ଘଟି ଜୀବନହାନି ଘଟିବା ଭଳି ଖବର ଆସିବା କୌଣସି ନୂଆ ଘଟଣା ନୁହେଁ ଏହା ପୂର୍ବରୁ କିଛି ଦିନ ତଳେ ଝାରସୁଗୁଡ଼ା ଲଇକେରାର ଖରିଆକାନି ଗାଁରେ ଚାଇନା କମ୍ପାନି ଦ୍ୱାରା ପ୍ରସ୍ତୁତ ଏକ ମୋବାଇଲ ଫୋନ୍ ବିସ୍ଫୋରଣ ଘଟିବାରୁ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଥିଲା। ନୋକିଆ ୫୨୩୩ ମୋବାଇଲକୁ ଚାର୍ଜରେ ବସାଇ କଥା ହେଲା ବେଳେ ଏହି ଅଘଟଣ ଘଟିଥିଲା ।ଫୋନକୁ ଚାର୍ଜରେ ବସାଇ କଥା ହେଉଥିବା ସମୟରେ ଫୋନଟିରେ ହଠାତ ନିଆଁ ଲାଗିଯାଇଥିଲା । ଫଳରେ ଯୁବତୀ ଜଣକ ଜଳିଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।