ଚିକିତ୍ସାରେ ଅବହେଳା ଅଭିଯୋଗ:ଗର୍ଭବତୀଙ୍କ ପେଟରେ ଛୁଆ ମୃତ

ନୂଆପଡ଼ା: ନୂଆପଡା ଜିଲ୍ଲା କୋମନା ବ୍ଲକ ମୁଣ୍ଡାପଲା ପଞ୍ଚାୟତ ଚନାମୁଣ୍ଡା ଗାଁର ଜଣେ ଗର୍ଭବତୀଙ୍କ ପେଟରେ ଛୁଆର ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା ଯୋଗୁଁ ଏପରି ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତ ୩୧ ତାରିଖରେ ଚନାମୁଣ୍ଡା ଗାଁର ଗୌତମ ନାଏକଙ୍କ ସ୍ତ୍ରୀ ସୁନିତାଙ୍କ ପ୍ରସବ ବେଦନା ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ୭ ଦିନ ଧରି ଭର୍ତ୍ତି ହୋଇ ରହିଥିଲେ ବି ଡାକ୍ତର ତାଙ୍କୁ ସଠିକ ଭାବେ ଚିକିତ୍ସା କରୁନଥିବା ଅଭିଯୋଗ କରିଛନ୍ତି। ଗୁରୁବାର ସକାଳେ ଡା. ବିଜୟ ପାଣିଗ୍ରାହୀ ୱାର୍ଡରେ ରାଉଣ୍ଡ କରୁଥିବା ସମୟରେ ସୁନିତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଅଲଟ୍ରାସାଉଣ୍ଡ କରିବାକୁ ପରାମର୍ଶ ଦେଇଥିଲେ। ଏହି ରିପୋର୍ଟରେ ଛୁଆର ମୃତ୍ୟୁ ହୋଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ।

ପରିବାର ଲୋକେ ମୃତ ଛୁଆକୁ ମା’ ପେଟରୁ କାଢ଼ି ଦେବାକୁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ। ଗୁରୁବାର ରାତିରେ ୧୨ ଘଣ୍ଟା ହୋଇଥିଲେ ବି ଗର୍ଭବତୀଙ୍କ ଅସ୍ତ୍ରୋପଚାର ହୋଇ ନାହିଁ କିମ୍ବା ମୃତ ଛୁଆକୁ ବାହାର କରିବାକୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଗୌତମ ଓ ତାଙ୍କ ସମ୍ପର୍କୀୟମାନେ ଡାକ୍ତର, ନର୍ସଙ୍କୁ କହିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି। ଏନେଇ ସିଡିଏମଓ ଡା. ଶଙ୍କର ପ୍ରସାଦ ମେହେରଙ୍କୁ ପଚାରିବାରୁ, ମା’ର ସୁରକ୍ଷା ଦୃଷ୍ଟିରୁ ପ୍ରଥମେ ମୃତ ଛୁଆକୁ ବାହାର କରାଯିବ, ସକାଳେ ଶିଶୁର ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣା ପଡ଼ିବ ଓ ଦୋଷୀ ଡାକ୍ତରଙ୍କ ବିରୋଧରେ କାଯ୍ୟର୍ାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର