ବିବାହର ୧୯ଦିନ ପରେ ନବବଧୂର ଆତ୍ମହତ୍ୟା

ପ୍ରେମିକାର ମୃତ୍ୟୁ ଖବର ଶୁଣି ପ୍ରେମିକର ଆତ୍ମହତ୍ୟା ଅଭିଯୋଗ

ଝିଅକୁ ହତ୍ୟା କରାଯାଇଥିବା ନେଇ ଥାନାରେ ବାପାଙ୍କ ଅଭିଯୋଗ

ଭବାନୀପାଟଣା : ନୂଆପଡ଼ା ଜିଲ୍ଲା ଖଡିଆଳ ଥାନା ଚାନ୍ଦେଲ ଗ୍ରାମରେ ବିବାହର ୧୯ଦିନ ପରେ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତେବେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଖଡ଼ିଆଳ ଥାନାରେ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ନବବଧୂଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପ୍ରେମିକ ବୋଲି କୁହାଯାଉଥିବା ଜଣେ ଯୁବକ ନବରଙ୍ଗପୁରର ଏକ ଲଜ୍‌ରେ ଆତ୍ମହତ୍ୟା କରିଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଚାଲିଛି।

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଫୁଣ୍ଡାଗାଁର ମଦନ ମୁଣ୍ଡାଙ୍କ ଝିଅ କଲ୍ୟାଣୀ ମୁଣ୍ଡା (୨୩) ଗତ ମାର୍ଚ୍ଚ ୬ ତାରିଖରେ ନୂଆପଡ଼ା ଜିଲ୍ଲା ଖଡିଆଳ ଥାନା ଅନ୍ତର୍ଗତ ଚାନ୍ଦେଲ ଗ୍ରାମର ସୁଦର୍ଶନ ପରାଭୋଇଙ୍କ ପୁଅ ଧବଳେଶ୍ୱର ପରାଭୋଇଙ୍କୁ ବିବାହ କରିଥିଲେ। କଲ୍ୟାଣୀ ଅନ୍ୟ କାହା ସହିତ ଫୋନ୍‌ରେ ଲୁଚାଛୁପା କଥା ହେଉଥିବା ନେଇ ସ୍ୱାମୀ ଧବଳେଶ୍ୱର ଗତ ୨୩ ତାରିଖରେ ଝିଅର ବାପା ମଦନ ମୁଣ୍ଡାଙ୍କୁ ଖବର ଦେଇଥିଲେ। ପରେ ଏକ ସାମାଜିକ ସଭାରେ କଲ୍ୟାଣୀକୁ ନିଜ ପାଖରେ ନରଖିବା ଓ ଯଦି ରହିବ ତା’ହେଲେ ସେ ଆତ୍ମହତ୍ୟା କରିବି ବୋଲି ଧବଳେଶ୍ୱର ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ଶନିବାର ସନ୍ଧ୍ୟାରେ କଲ୍ୟାଣୀ ଆତ୍ମହତ୍ୟା କରିଥିବା ନେଇ ଝିଅ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ଚାନ୍ଦେଲ ଗ୍ରାମରୁ ପ୍ରାୟ ୮କିଲୋମିଟର ଦୂର ଏକ ପାହାଡ଼ ତଳେ ବେକରେ ଶାଢ଼ି ଦେଇ ଏକ ଗଛରେ ଝୁଲୁଥବା ଦେଖିଥିଲେ। ଧବଳେଶ୍ୱର ଓ ତାଙ୍କ ଦୁଇ ଭିଣୋଇ ଝିଅ କଲ୍ୟାଣୀକୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେଇଥିବା ନେଇ ଝିଅର ବାପା ମଦନ ମୁଣ୍ଡା ଖଡିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଘଟଣାସ୍ଥଳରେ ଖଡିଆଳ ପୁଲିସ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ୟବଛେଦ କରି ପୁଅ ପରିବାରଙ୍କୁ ହସ୍ତାନ୍ତର କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡ଼ିଛି।

ଅନ୍ୟ ପକ୍ଷରେ କଲ୍ୟାଣୀର ମୃତ୍ୟୁ ଖବର ଶୁଣି ଫୁଣ୍ଡା ଗ୍ରାମର ପ୍ରେମିକ ଅବନୀ ଭୋଇ(୨୮) ନବରଙ୍ଗପୁରର ଏକ ଲଜରେ ଶନିବାର ରାତିରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର