ଏନ୍‌ଏଚ୍‌ ନିର୍ମାଣରେ ବିଳମ୍ବ ନେଇ ସର୍ବଦଳୀୟ ବୈଠକ

ନୂଆପଡ଼ା: ନୂଆପଡା ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୩୫୩ ନିର୍ମାଣ କାମ ଆରମ୍ଭର ୩ ବର୍ଷ ପରେ ବି ଶେଷ ହୋଇପାରିନି। ଫଳରେ ରାଜପଥ ମରଣାପଥ ପାଲିଟିଛି। ଅସରାଏ ବର୍ଷା ହେଲେ ରାସ୍ତାରେ ପାଣି ଭରି ରହୁଛି ଏବଂ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି। ରାସ୍ତା କାମ ୧୩ ଜୁନ ୨୦୧୪ରେ ଆରମ୍ଭ ହୋଇ ୧୧ଜୁନ ୨୦୧୬ ସୁଦ୍ଧା କାମ ସମ୍ପୂର୍ଣ୍ଣ କରିବାକୁ ସମୟସୀମା ରହଥିଲା। ହେଲେ ଅବଧି ଶେଷ ହେବାର ୨ ବର୍ଷ ବିତିି ଯାଇଥିଲେ ମଧ୍ୟ କାମ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଏନେଇ ଜିଲ୍ଲା ବାର ଏସୋସିଏସନର ଆହ୍ଵାନ କ୍ରମେ ସଂଘ ସଭାପତି ପ୍ରସନ୍ନ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଠାରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ସେ ନିରବଦ୍ରଷ୍ଟା ସାଜିଛନ୍ତି।

ଏହାର ପ୍ରତିବାଦରେ ଆସନ୍ତା ୫ ତାରିଖରୁ ରାଜପଥରେ ଭାରୀ ଯାନବାହାନକୁ ବନ୍ଦ କରାଯିବ। ୧୫ ଦିନ ମଧ୍ୟରେ କୌଣସି ସମାଧାନ ନହେଲେ ୨୦ ତାରିଖରୁ ରେଳ ଚଳାଚଳକୁ ବନ୍ଦ କରାଯିବ। ପୁଲିସ ରିପୋର୍ଟ ଅନୁସାରେ ରାସ୍ତାରେ ମୃତ୍ୟୁ ଓ ଆହତ ହୋଇଥିବା ଲୋକଙ୍କୁ ସହାୟତା ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯିବ। ଏଣୁ ବର୍ଷା ଋତୁ ଆରମ୍ଭ ହେବା ପୂର୍ବରୁ ରାସ୍ତାକାମ ସମ୍ପୂର୍ଣ୍ଣ କରିବା ପାଇଁ ଦାବି କରାଯାଇଥିଲା। ଏହି ବୈଠକରେ ବିଧାୟକ ପ୍ରତିନିଧି ଖାମସିଂ ମାଝୀ, ଓକିଲ ସଂଘ ସମ୍ପାଦକ ଧର୍ମବୀର ଯୋଷୀ, ଛାତ୍ର ଜନତା ଦଳ ଜିଲ୍ଲା ସଭାପତି ହେମନ୍ତ କର, ଆଇନଜୀବୀ ମୁରଲିଧର ପଣ୍ଡା, ଶ୍ୱେତରାମ ଦେବାଙ୍ଗନ, ଅଶୋକ ଦେବାଙ୍ଗନ, ଆଦିବାସୀ ସଂଘ ସଂପାଦକ ସୋମନାଥ ଖମାରୀ, ଜିଲ୍ଲା ଯାଦବ ସମାଜ କାଯ୍ୟର୍କାରୀ ସଭାପତି ଚଚଂଳ ଶଗରିଆ, ବିଜେପି ଯୁବ ନେତା ଟିଟୁ ପଣ୍ଡା, କଂଗ୍ରେସ ଯୁବନେତା ରବି ମଙ୍ଗରାଜ, ଉଦ୍ୟାନବନ୍ଧ ବଣିକ ସଂଘ ସଭାପତି ଜହରଲାଲ ସୁନାନୀ, ସମ୍ପାଦକ ଓମପ୍ରତାପ ରଣା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର