ନୂଆପଡ଼ା: ଭାଦ୍ରବ ମାସ ପଞ୍ଚମୀ ତିଥିରେ ପଶ୍ଚିମ ଓଡ଼ିଶାବାସୀ ନବାନ୍ନ ଖାଇଥାନ୍ତି। ତାକୁ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ବୋଲି କହିଥାନ୍ତି। ହେଲେ ଏହି ଅଞ୍ଚଳରେ ରହୁଥିବା ଅଲେଖ ଧର୍ମାବଲମ୍ବୀମାନେ ଶ୍ରାବଣ ମାସ ପୂର୍ଣ୍ଣିମା ତିଥିରେ ମହା ଆଡ଼ମ୍ବରରେ ଗୀତ ଗାଇ ବାଦ୍ୟ ବଜାଇ ନୂଆଖାଇ ପର୍ବ ପାଳନ କରିଥାନ୍ତ।

Advertisment

ଆଜି ଲଛମନ ବାବା ଜଣେ ଅନ୍ଧ ହୋଇ ମଧ୍ୟ ପରମ୍ପରା ବଜାଇ ରଖିଛନ୍ତି ତାଙ୍କ ନେତୃତ୍ୱରେ ଆଖପାଖରେ ଥିବା ଅନେକ ସାଧୁସନ୍ଥ  ଏକତ୍ରିତ ହୋଇ ନବାନ୍ନ ଖାଇଛନ୍ତି।  ଆଜି ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ଅଲେଖ ଧର୍ମାବଲମ୍ବୀମାନଙ୍କ ଭଳି ନୂଆପଡ଼ା ଜ଼ିଲ୍ଲାର ଅଲେଖ ମହିମା ସାଧୁସନ୍ଥ ମାନେ ନୂଆପଡା ଜ଼ିଲ୍ଲା ଖଡ଼ିଆଳ ବ୍ଲକ ତୁକୁଲା ଠାରେ  ଥିବା ଅଲେଖ ବାବା ମଠ, ସିନାପାଲି ବ୍ଲକ ସର୍ଦାପୁର ବାବା ମଠ, ରାଣୀପୁର ମଠରେ ନୂଆ ଅନ୍ନ ଖାଇଛନ୍ତି।

ପ୍ରଥମ ଅମଳ ହେଉଥିବା (ଆଟ ଧାନ )କୁ ନୂଆଁ ପାତ୍ରରେ ସଂଗ୍ରହ କରି ଅଲେଖ ମଠରେ ରଖିଥିଲେ। ଏହାକୁ ମାଟି ପାତ୍ରରେ ନୂଆଁ ଧାନକୁ ନିଆଁରେ ଦିଆଯିବା ପରେ ଗୁଣ୍ଡ କରି ଚୁଡ଼ା ପ୍ରସ୍ତୁତ କରିଥିଲେ। ପରେ ଘିଅ, ଗୁଡ, ପଞ୍ଚାମୃତ, କଦଳୀ, ନଡ଼ିଆ ମିଶାଇ ନବାନ୍ନ ତିଆରି ହୋଇଥିଲା। ଅଲେଖ ଗୋସାଇଁଙ୍କୁ ନବାନ୍ନ ଟେକିବା ପରେ ସାଧୁ ସନ୍ଥମାନେ ମିଳିତ ଭାବରେ ନବାନ୍ନ ଭକ୍ଷଣ କରିଥିଲେ।  ଏହାପରେ ସାଧୁସନ୍ଥମାନେ କରୋନା ଭୁତାଣୁ କବଳରୁ ସମସ୍ତଙ୍କୁ ରକ୍ଷା କରିବା ଲାଗି ଅଲେଖ ମହିମାଙ୍କୁ ସାମୁହିକ ପ୍ରାର୍ଥନା କରିଥିଲେ ଓ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ।