ନୂଆପଡ଼ା: ଦାଦନ ରୋକିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ନୂଆପଡ଼ା ଜିଲ୍ଲାରେ ଦାଦନ ଦୁଃଖ ଥମୁନାହିଁ। ବରଂ ଦିନକୁ ଦିନ ଏହା ବଢ଼ି ବଢ଼ି ଚାଲିଛି। ନୂଆପଡ଼ା ଜିଲ୍ଲା ସଦର ଥାନା ମହୁଲଭଟା ଗ୍ରାମର ଜଣେ ଦାଦନ ଶ୍ରମିକ ନିଜ ପରିବାର ସହ ଉତ୍ତରପ୍ରଦେଶର ଏକ ଇଟାଭାଟିକୁ କାମ କରିବାକୁ ଯାଉଥିବା ବେଳେ ଟ୍ରେନରୁ ଖସିପଡି ତାଙ୍କର ମୃତ୍ୟୁ ଘଟିଛି। ମୃତ ଶରୀରକୁ ଘରକୁ ଅଣାଯାଇ ଶବ ସତ୍କାର କରାଯାଇଛି।

Advertisment

ପରିବାର ପକ୍ଷରୁ  ମିଲିଥିବା ଖବରୁ ଅନୁଯାଇ, ନୂଆପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ମହୁଆଭଟା ଗ୍ରାମର ବାସିନ୍ଦା କୁମରମଣି ରାଣା(୩୦)ଙ୍କର ଗାଁରେ କିଛି ରୋଜଗାର ପନ୍ଥା ନଥିବାରୁ ପରିବାର ପୋଷିବା ପାଇଁ ସେ ଚଳିତବର୍ଷ ବେଲଟୁକୁର ଥାନାର ଗୁଡ଼ିପଦର ଗ୍ରାମର ଜଣେ ଦାଦନ ଦଲାଲଠାରୁ ୨୦ ହଜାର ଟଙ୍କା ଅଗ୍ରୀମ ନେଇଥିଲେ। ପରିବାରର ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ପାଇଁ କୁମରମଣି ଦଲାଲଙ୍କ ବୁଦ୍ଧିରେ ତାଙ୍କ ପତ୍ନୀ ଅମନି ଓ ପୁଅ ଖିଲେଶ୍ବରଙ୍କ ସହ କାମ ପାଇଁଁ ଉତ୍ତରପ୍ରଦେଶର ଗୋସେଇଗଞ୍ଜ ଇଟାଭାଟିକୁ ବାହାରିଥିଲେ। ‌ସେ ଗୁରୁବାର ଦିନ ରାତିରେ ନୂଆପଡ଼ା ଷ୍ଟେସନରୁ ଟ୍ରେନରେ ବସିଥିଲେ।

ସେମାନେ ଶନିବାର ଦିନ ଜୋନପୁର ଷ୍ଟେସନରେ ଓହ୍ଲାଇ ରବିବାର ଦିନ ସକାଳୁ ଅନ୍ୟ ଏକ ଟ୍ରେନ ଯୋଗେ ଗୋସେଇଗଞ୍ଜ ପାଇଁ ଯାତ୍ରା ଆରମ୍ଭ କରିଥିଲେ। ଗୋସେଇଗଞ୍ଜ ପହଞ୍ଚିବାକୁ ଆଉ ୩୦ ମିନିଟ୍‌ ବାକି ଥିବା ବେଳେ କୁମରମଣି ଟ୍ରେନର ଗେଟ୍ ପାଖକୁ ଛେପ ପକାଇବାକୁ ଯାଇ ଟ୍ରେନ୍‌ରୁ ଖସିପଡ଼ିଥିଲେ।  ଯାହାଫଳରେ ଘଟଣାସ୍ଥଳରେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।

publive-image

ପରିବାର ଲୋକ ତୁରନ୍ତ ଟ୍ରେନର ଚେନପୁଲିଂ କରି ଟ୍ରେନକୁ ଅଟକାଇ ଥିଲେ। କିଛି ସମୟ ପରେ ରେଳବାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ପରିବାର ଲୋକେ ଏକ ଗାଡ଼ି କରି କୁମରମଣିର ଶବକୁ ନିଜ ଗାଆଁକୁ ନେଇ ଆସିଥିଲେ।

ରୋଜଗାରକ୍ଷମ ସ୍ବାମୀଙ୍କ ମୃତ୍ୟୁ ହେବା ପରେ କିପର ପରିବାର ପୋଷା ହେବ ଓ କିପରି ୨ ଝିଅ ଓ ଗୋଟିଏ ପୁଅଙ୍କୁ ନେଇ ଭବିଷ୍ୟତ ଗଢ଼ିବେ ବୋଲି ଚିନ୍ତା କରି ଭାଙ୍ଗି ପଡ଼ିଛନ୍ତି ମୃତ କୁମରମଣିଙ୍କ ପତ୍ନୀ। କୁମରମଣି ଏକ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।