ନୂଆପଡ଼ା: ଧାନ କ୍ରୟ ୭୦ ହଜାର କୁଇଣ୍ଟାଲ

ଖୋଲା ଆକାଶ ତଳେ ୩୩ ଚାଷୀଙ୍କ ୧୬୦୦ ବସ୍ତା

ନୂଆପଡ଼ା: ଚଳିତ ଖରିଫ ଋତୁରେ ନୂଆପଡ଼ା ଜିଲ୍ଲାର ବିଭିନ୍ନ ମଣ୍ଡିରୁ ୨୯ତାରିଖ ସୁଦ୍ଧା ୭୦ ହଜାର ୫୬୯ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ସେହିପରି ଜିଲ୍ଲାର ୨୬ଟି ସୋସାଇଟି ମଧ୍ୟରୁ ୧୫ଟି ସୋସାଇଟରେ ଧାନ କିଣା ଆରମ୍ଭ ହୋଇଛି। ନୂଆପଡ଼ା ବ୍ଲକ୍‌ର ୭ଟି ସୋସାଇଟି, ସିନାପାଲି ବ୍ଲକ୍‌ର ୪ଟି, କୋମନା ବ୍ଲକ୍‌ର ୨ଟି, ଖଡ଼ିଆଳ ବ୍ଲକ୍‌ ୧ଟି ଓ ବୋଡ଼େନ ବ୍ଲକରେ ୧ଟି ପେକ୍ସରେ ଧାନ କିଣା ଆରମ୍ଭ ହୋଇଛି। ଗତ ୨୧ ତାରିଖରେ ଜିଲ୍ଲାରେ ମଣ୍ଡି ଆରମ୍ଭ କରାଗଲା। ୨୯ ତାରିଖ ସୁଦ୍ଧା ଜିଲ୍ଲାରେ ଓସିସିଏସସି ପକ୍ଷରୁ ୬୨୫୪୯.୩୮ ହଜାର କୁଇଣ୍ଟାଲ, ମାର୍କଫେଡ୍‌ ଦ୍ୱାରା ୫୫୦୯.୮୯ କୁଇଣ୍ଟାଲ, ଟିଡିସିସି ଦ୍ୱାରା ୨୫୧୦.୬୬ ଧାନ କ୍ରୟ କରା ଯାଇଛି।

୨୬ ଗୋଟି ପ୍ରାଥମିକ ସେବାସମବାୟ ସମିତି ଦ୍ୱାରା ଜିଲ୍ଲାର ୬୧ ଗୋଟି ମଣ୍ଡି ଜରିଆରେ ଧାନ କ୍ରୟ କରାଯିବ ଜିଲ୍ଲାର ୬୧ ଗୋଟି ମଣ୍ଡିରୁ ୮ଲକ୍ଷ ୮୮ହଜାର କୁଇଣ୍ଟାଲ ଧାନ କିଣାଯିବାର ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ଓଏସ୍‌ସିଏସ୍‌ି ଦ୍ୱାରା ୬ଲକ୍ଷ୬୧ ହଜାର କୁଇଣ୍ଟଲ, ମାର୍କଫେଡ ଦ୍ୱାରା ୫୮ହଜାର କୁଇଣ୍ଟାଲ ଏବଂ ଟିଡିସିସି ୨୨ ହଜାର ୫୮୦ କୁଇଣ୍ଟାଲ ଧାନ କିଣିବାକୁ ଧାର୍ଯ୍ୟ କରାଯାଇଛି।
ବୁଧବାର ସାଇପଲା ମଣ୍ଡିରେ ଚାଷୀ ଏବଂ ମିଲରଙ୍କ ମଧ୍ୟରେ କଥା କଟାକଟି ପରେ ଖୋଲା ଆକାଶ ତଳେ ୩୩ ଚାଷୀଙ୍କ ୧୬୦୦ ବସ୍ତା ଧାନ ପଡ଼ିରହିଛି। ନିୟମ ଅନୁସାରେ, ଟୋକନ ପାଇବା ପରେ ଧାନ ଉଠିବା ପ୍ୟାକ୍ସର ଦାୟିତ୍ୱ ରହିଥିବା ବେଳେ ଏତେ ବସ୍ତା ଧାନ ଜଗିବ କିଏ ବୋଲି ଚାଷୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ଏହି ମଣ୍ଡିରେ ଏଫଏକ୍ୟୁ ଆଳରେ ଚାଷୀଙ୍କଠାରୁ ଧାନବସ୍ତା ପିଛା ୫ରୁ ୭ କେଜି କଟନି କରିବା ପାଇଁ ମିଲରମାନେ କହିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ତେଣୁ ସେମାନେ ଧାନ ବସ୍ତା ଜଗି ବସିଛନ୍ତି। ମଣ୍ଡି ଆରମ୍ଭ ପାଇଁ ସବୁ ବ୍ୟବସ୍ଥା ଆରମ୍ଭ ହେବା ସଙ୍ଗେ ପ୍ୟାକ୍ସ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ଧାନକୁ ଜଗିବା ପାଇଁ କର୍ମଚାରୀ ରହିଛନ୍ତି ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର