ନୂଆପଡ଼ା: ଜିଲ୍ଲାରେ ବର୍ଷା ନାହିଁ, ଚିନ୍ତାରେ ଚାଷୀ

ଖଡ଼ିଆଳ: ଗତ ଏକ ସପ୍ତାହ ହେଲା ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାରେ ମୌସୁମି ବର୍ଷା ହେଉଥିଲେ ମଧ୍ୟ ନୂଆପଡ଼ା ଜିଲ୍ଲା ତଥା ଖଡ଼ିଆଳ ଅଞ୍ଚଳରେ ବର୍ଷାର ନାଁ ଗନ୍ଧ ନାହିଁ। ଗୁରୁବାର ୨ ଘଣ୍ଟା ଧରି ଝିପି ଝିପି ବର୍ଷା ହୋଇଥିବା ବେଳେ ପରେ ବର୍ଷା ଉଭାନ ହୋଇଯାଇଥିଲା। ଶୁକ୍ରବାର ଖଡ଼ିଆଳ ଅଞ୍ଚଳର ତାପମାତ୍ରା ୩୬ଡିଗ୍ରି ରହିବା ସହ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଥିଲା। ସବୁ ବର୍ଷ ଭଳି ଚାଷୀମାନେ ଜୁନ୍‌ ମାସ ପ୍ରଥମ ସପ୍ତାହରୁ ଧାନ ବୁଣି ଦେଇଥିବା ବେଳେ ବର୍ଷା ନହେବା ଦ୍ୱାରା ଧାନ ଗଜା ହୋଇପାରି ନାହିଁ। ଲଗାତର ନୂଆପଡା ଜିଲ୍ଲା ତଥା ଖଡିଆଳ ଅଞ୍ଚଳରେ ମରୁଡି ଲାଗିରହିଥିବା ବେଳେ ଚାଷୀଙ୍କ ମେରୁଦଣ୍ଡ ସଂପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି। ଚଳିତବର୍ଷ ମଧ୍ୟ ମରୁଡ଼ିର ଆଶଙ୍କା ପ୍ରକାଶ ପାଇଥିବା ବେଳେ ଚାଷୀକୁଳ ହତାଶ ହୋଇପଡ଼ିଛନ୍ତି। ଧାନ ବିହନ କଷ୍ଟରେ ସଂଗ୍ରହ କରି ବର୍ଷା ଆଗମନକୁ ଦୃଷ୍ଟିରେ ରଖି ତାକୁ ବୁଣି ଦେଇଥିବା ବେଳେ ବର୍ତ୍ତମାନ ବର୍ଷା ନହେବା ଦ୍ୱାରା ଗଜା ମରୁଡ଼ି ଦେଖିବାକୁ ମିଳିଛି। ତେଣୁ ଚଳିତ ବର୍ଷ ମଧ୍ୟ ଏକ ବଡଧରଣର ମରୁଡ଼ିର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ଚାଷୀକୁଳ ଆଶଙ୍କା ପ୍ରକାଶ କରିଛନ୍ତି। ସରକାର ଚାଷୀମାନଙ୍କୁ ଦୃଷ୍ଟି ଦେବା ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର