ଜେଲ୍‌ ଗଲେ ଅଭିଯୁକ୍ତ ସ୍ୱାମୀ

ବିବାହ ନାଁରେ ଓଡ଼ିଆ ଏୟାର୍‌ ହୋଷ୍ଟେସଙ୍କୁ ଠକେଇ ମାମଲା

ନୂଆପଡ଼ା : ବେଙ୍ଗାଲୁରୁରେ ଓଡ଼ିଆ ଏୟାର୍‌ ହୋଷ୍ଟେସଙ୍କୁ ବିବାହ ନାଁରେ ୪୦ ଲକ୍ଷ ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ସ୍ୱାମୀ ଅଜିଜ ଅଲିମ ଜେଲ୍‌ ଯାଇଛନ୍ତି। ବେଙ୍ଗାଲୁରୁ ସହକତନଗରର ଅଜିଜଙ୍କୁ ପୁଲିସ ଗତ ୮ ତାରିଖ ଦିନ ଗିରଫ କରିଥିଲା। ସୋମବାର ଏଠାରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ତାଙ୍କ ଜାମିନ ଆବେଦ ଖାରଜ ହୋଇଯାଇଥିଲା।

ପୁଲିିସ ସୂତ୍ରରୁ ପ୍ରକାଶ ଯେ,ଏକ ବିଦେଶୀ ଏୟାରଲାଇନ୍ସରେ ଏୟାର ହୋଷ୍ଟେସ ଭାବେ କାମ କରୁଥିବା ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅଂଚଳର ଉକ୍ତ ଯୁବତୀଙ୍କ ସହିତ ଅଜିଜ୍‌ ଅନଲାଇନ ମେଟ୍ରିମୋନି ମାଧ୍ୟମରେ ସଂପର୍କ କରିଥିଲେ। ଉଭୟଙ୍କ ପରିବାର ପକ୍ଷରୁ କଥା ଛିଣ୍ଡିବା ପରେ ରାୟପୁରରେ ବାହାଘର ସଂପନ୍ନ ହୋଇଥିଲା। ବାହାଘର କିଛି ଦିନ ପୂର୍ବରୁ ପୁଅର ବାପା ମା’ ପରେ ଫେରେଇ ଦେବେ ବୋଲି କହି ଝିଅ ଘର ପକ୍ଷରୁ ୨୫ ଲକ୍ଷ ଟଙ୍କା ନେଇଥିଲେ। ବିବାହର କିଛି ଦିନ ପରେ ଯୁବତୀ ଜଣକ ନିଜ କର୍ମକ୍ଷେତ୍ରକୁ ଚାଲି ଯାଇଥିଲେ। ପରେ ଘର ଭଡ଼ା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ଲକ୍ଷ ଲକ୍ଷଟଙ୍କା ପଠାଇବାକୁ ଯୁବତୀଙ୍କୁ ଶ୍ୱଶୁର ଘର ଲୋକେ ନିର୍ଦେଶ ଦେଉଥିଲେ। ସେ ମଧ୍ୟ ବିଭିନ୍ନ ସମୟରେ ପ୍ରାୟ ୧୫ ଲକ୍ଷ ଟଙ୍କା ଶ୍ୱଶୁର ଘର ଲୋକଙ୍କୁ ଦେଇଥିଲେ।

ଯୁବତୀ ଜଣକ ଶେଷରେ ତାଙ୍କ ସ୍ୱାମୀଙ୍କ ପାଖରେ ରହିବାକୁ ଯାଇଥିଲେ। ହେଲେ ଶ୍ୱଶୁର ଘର ଲୋକେ ଟଙ୍କା ପାଇଁ ଅନେକ ସମୟରେ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ। ଏ ବିଷୟରେ ଯୁବତୀ ଜଣକ ବେଙ୍ଗାଲୁରୁ ଥାନାରେ ଅଭିଯୋଗ କରିଥିଲେ। ପୁଲିସର ମଧ୍ୟସ୍ଥତା ପରେ ୧୨ ଲକ୍ଷ ଟଙ୍କାର ଚେକ୍‌ ଦେଇଥିଲେ। କିନ୍ତୁ, ତାହା ବାଉନ୍‌ସ ହୋଇ ଯାଇଥିଲା। ଏହାକୁ ନେଇ ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ଜୋଙ୍କ ଥାନାରେ ଏତଲା ଦେଇଥିଲେ। ଏଠାରେ ଥାନା କେସ୍‌ ନଂ ୧୪୫/୨୦୧୭ରେ ମାମଲା ରୁଜୁ ହୋଇଥିଲା। ଜୋଙ୍କ ପୁଲିସ ଗତ ୮ତାରିଖ ଦିନ ବାଙ୍ଗାଲୁରୁରୁ ଅଜିଜଙ୍କୁ ଗିରଫ କରିଥିଲା। ୯ ତାରିଖ ଦିନ ସେଠାକାର ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟଙ୍କ ସାମନାରେ ହାଜର କରିବା ପରେ ନୂଆପଡ଼ା ଆଣିଥିଲା। ସୋମବାର ତାଙ୍କୁ ଏଠାରେ କୋର୍ଟ ଚାଲାଣ କରାଯାଇଥିଲା ବୋଲି ଜୋଙ୍କ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର