ପୂର୍ବଶତ୍ରୁତାକୁ ନେଇ ସଂଘବଦ୍ଧ ଆକ୍ରମଣ: ଜଣେ ମୃତ, ଜଣେ ଗୁରୁତର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମବନ୍ଧା ଧାନା ଭଇଷାଁଦାଦର ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ସଂଘବଦ୍ଧ ଆକ୍ରମଣ କରିଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଆଉ ଜଣେ ଗୁରୁତର ହୋଇ ନୂଆପଡ଼ା ମୁଖ୍ୟ ଡାକ୍ତରଖାନରେ ଚିକିତ୍ସିତି ହେଉଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ଧରମବନ୍ଧା ଥାନା ଭଇଁଷାଦାଦର ଗ୍ରାମର ଭିକମ୍ ରାଉତ(୪୫) ୧୦ ବର୍ଷ ହେବ ତାଙ୍କ ପରିବାର ସହିତ ଶଶୁର ଘର ଗାଁ ଦର୍ଲିପଡ଼ାରେ ରହି ଏକ ଦୋକାନ କରି ପରିବାର ପ୍ରତି‌ପୋଷଣ କରୁଥିଲେ। ତାଙ୍କର ଚାଷ ଜମି ଭଇଷାଁଦାଦର ଗାଁରେ ଥିବାରୁ ଗତକାଲି ସନ୍ଧ୍ୟା ୫ଟାରେ ଘରୁ ଚାଷ ଜମିକୁ ଚାଲିଚାଲି ଯାଇଥିଲେ। ସନ୍ଧ୍ୟା ସାଢେ ୬ଟାରେ ଭିକମ୍ ରାଉତ ଘରକୁ ଫେରିବା ପାଇଁ ନିଜ ଭଣଜା ମେଘନାଥ ରାଉତ(୨୪) ଙ୍କୁ ଫୋନ କରି ଡାକିଥିଲେ। ପରେ ମେଘନାଥ ବାଇକରେ ଭିକମ୍ ରାଉତ, ରାଜୁ ରାଉତ, ହୋମ ମାଝୀ ଫେରିବା ସମୟରେ ପଖାନପଦର ଗ୍ରାମରେ କିଛି ଅଜଣା ଲୋକ ବାଇକକୁ ଅଟକାଇ ଅର୍ତକିତ ଆକ୍ରମଣ କରିଥିଲେ। ମେଘନାଥ ଓ ହୋମ ମାଝୀ ଘଟଣାସ୍ଥଳରୁ କୌଶଳ କ୍ରମେ ଖସିଯିବାରେ ସକ୍ଷମ ହୋଇଥିବା ବେଲେ ଭିକମ୍ ଓ ରାଜୁ ଆକ୍ରମଣକାରୀଙ୍କ ହାବୁଡ଼ରୁ ବର୍ତ୍ତି ପାରିନଥିଲେ।

ମେଘନାଥ ଦର୍ଲିପଡ଼ା ଯାଇ ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ପରିବାର ଲୋକ ଘଟଣାସ୍ଥଳରୁ ଯାଇ ଭିକମ୍ ଓ ରାଜୁଙ୍କୁ ଖୋଜାଖୋଜି କରି ସେମାନଙ୍କୁ ପାଇନଥି‌ଲେ। ପରେ ପରିବାର ଲୋକ ଦର୍ଲିପଡ଼ା ଘରକୁ ଫେରୁଥିବା ବେଲେ ବାଟରେ ଥିବା ନଦୀବାଲିରେ ଗୁରୁତର ଅବସ୍ଥାରେ ଭିକମକୁ ଉଦ୍ଧାର କରିଥିଲେ। ସେଠାରେ ଗୁରୁତର ଅବସ୍ଥାରେ ପ୍ରଥମେ ଧରମବନ୍ଧା ପିଏଚସି ଡାକ୍ତରଖାନାକୁ ନେଇ ପ୍ରଥମିକ ଚିକିତ୍ସା ପରେ ଗୁରୁତର ହେବାରୁ ନୂଆପଡ଼ା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା।

ରାତ୍ର ୧୦ଟା ୩୦ ମିନିଟରେ ଡାକ୍ତର ଭିକମ୍ ରାଉତଙ୍କ ମୃତ୍ୟୁ ଘୋଷଣା କରିଥିଲେ। ଅନ୍ୟପଟେ ରାଜୁ ରାଉତର କୌଣସି ଖବର ମିଲିନଥିଲା। ଗୁରୁତର ରାଜୁ ରାଉତଙ୍କୁ ଧରମବନ୍ଧା ପୁଲିସ ଘରୁ ଉଦ୍ଧାର କରି ଆଜି ଚିକିତ୍ସା ପାଇଁ ନୂଆପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହା ଉପରେ ଧରମବନ୍ଧା ଥାନା ଅଧିକାରୀ ସଞ୍ଜୁକ୍ତା ବାର୍ଲା କହିଛନ୍ତି ଗୁରୁତର ଥିବା ରାଜୁଙ୍କୁ ଉଦ୍ଧାର କରି ଚିକିତ୍ସା କରାଯାଉଛି। ବର୍ତ୍ତମାନ ତଦନ୍ତ ଚାଲିଛି  ଏବଂ ଶୀଘ୍ର ଦୋଷୀକୁ ଧରାଯିବ।

ସମ୍ବନ୍ଧିତ ଖବର