ନୂଆପଡ଼ା: ଯନ୍ତା ଭିତରେ ରହିଛି ବାଘ। ଏଣେ ବାଘକୁ ଖୋଜୁଛି ବାଘୁଣୀ। ଏଭଳି ଘଟଣା ଏବେ ଏବେ ନୂଆପଡ଼ା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଧରମବନ୍ଧା ଥାନା ଭଇଁସାଦରା ଅଞ୍ଚଳରେ ଲୋକେ ଏକ ବାଘର ପାଦଚିହ୍ନ ଆଜି ସକାଳେ ଦେଖିଛନ୍ତି। ଏହାକୁ ନେଇ ଅଞ୍ଚଳବାସୀଙ୍କ ଭିତରେ କୋକୁଆ ଭୟ ଖେଳିଯାଇଛି। ଚର୍ଚ୍ଚା ହେଉଛି ଯେ ଯନ୍ତା ଭିତରେ ରହିଥିବା ବାଘକୁ ଖୋଜୁଛି ବାଘୁଣୀ। ଖବର ପାଇବା ପରେ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ବାଘକୁ ଖୋଜୁଛନ୍ତି।
ଉଲ୍ଲେଖଯୋଗ୍ୟ, କୋଦୋପାଲି ଗାଁରୁ ଶନିବାର ରାତିରେ ଧରାପଡ଼ିଥିବା ମଣିଷଖିଆ ବାଘ (କଲରାପତରିଆ) ଏବେ ବନ ବିଭାଗ ଅଫିସ ପରିସରରେ ଯନ୍ତା ଭିତରେ ରହିଛି। ଅନ୍ୟପକ୍ଷରେ ଗାଁ ଚାରିପଟେ ଏକ ବାଘୁଣୀ (କଲରାପତରିଆ) ପଇଁତରା ମାରୁଛି। ଧରାପଡ଼ିଥିବା ବାଘଟି ଅଣ୍ଡିରା ହୋଇଥିବା ବେଳେ ଗାଁ ଚାରିପଟେ ଘୂରି ବୁଲୁଥିବା ବାଘ ମାଈ ବୋଲି ବନ ବିଭାଗ ପାଦଚିହ୍ନରୁ ଚିହ୍ନଟ କରିଛି। ଧରମବନ୍ଧା ଥାନା ସିଲିଆରିବାହାର ଗାଁର ରାମେଶ୍ରୀ ମାଝୀଙ୍କୁ ଶୁକ୍ରବାର ବାଘ ଝାମ୍ପି ନେଇ ମୁଣ୍ଡଗଣ୍ଡି ଅଲଗା କରିଦେଇଥିଲା। ରବିବାର ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବନ ବିଭାଗ ଅଧିକାରୀଙ୍କ ଉପସ୍ଥିତରେ ରାମେଶ୍ରୀଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଡିଏଫ୍ଓ ସୁଶୀଲ ତ୍ରିପାଠୀ ସୂଚନା ଦେଇଛନ୍ତି। ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ଅବସ୍ଥାରେ ଶେଷକୃତ୍ୟ କରାଯାଇଥିଲା।
ଏଣେ ବାଘର ଅବସ୍ଥା ତଦାରଖ କରିବା ଲାଗି ଡକ୍ଟର ନବୀନ ମିଶ୍ରଙ୍କ ନେତୃତ୍ବରେ ସମ୍ବଲପୁର ଚଡ଼ିଆଖାନାର ଏକ ୪ଜଣିଆ ପ୍ରତିନିଧି ଦଳ ନୂଆପଡ଼ାରେ ପହଞ୍ଚିଛନ୍ତି।
ଏଣେ ଭୟଭୀତ ନ ହେବାଲାଗ ପିସିସିଏଫ ସୁଶାନ୍ତ ନନ୍ଦ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ୩ ଦିନ ହେବ ନୂଆପଡ଼ାରେ ତୃତୀୟ ବାଘର ସନ୍ଧାନ ମିଳିନି। ଲୋକଙ୍କୁ ଅନୁରୋଧ ଭୟଭୀତ ହୁଅନ୍ତୁ ନାହିଁ। ଆମେ କ୍ୟାମେରା ଟ୍ରାପ ଲଗେଇଛୁ। ବାଘ ଦେଖିଲେ ବନ ବିଭାଗକୁ ଖବର ଦେବାକୁ ଅନୁରୋଧ। ଦୁଇ ମଣିଷଙ୍କ ଜୀବନ ନେଇଥିବା କଲରାପତ୍ରିଆ ବାଘକୁ ଧରା ହେବା ପରେ ତାର ଗତିବିଧି ଉପରେ ସ୍ୱତନ୍ତ୍ର ନଜର ରଖା ଯାଇଛି। କାହିଁକି ଅସ୍ୱାଭାବିକ ବ୍ୟବହାର ଦେଖାଇଲା ତାହା ଯାଞ୍ଚ କରାଯାଉଛି। ଦେବ୍ରିଗଡ଼ର ଭେଟରନାରି ଟିମକୁ ନୂଆପଡ଼ାକୁ ପଠାଯାଇଛି। ମୃତକଙ୍କ ପରିବାରକୁ ୧୫ ଦିନ ମଧ୍ୟରେ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ।