ମଣ୍ଡିରେ ପଡ଼ିରହିଛି ୧୨ ହଜାରରୁ ଅଧିକ ବସ୍ତା ଧାନ, ନୂଆପଡ଼ା ଜିଲ୍ଲାରେ ଆରମ୍ଭ ହେଲା ମିଲର୍ସଙ୍କ ରାଜୁତି

ନୂଆପଡ଼ା : ଧାନ କିଣା ଆରମ୍ଭରୁ ନୂଆପଡ଼ା ଜିଲ୍ଲାରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଛି। ମଣ୍ଡିରୁ ଧାନ କିଣାହେବାର ଏକ ମାସ ନହେଉଣୁ ମଣ୍ଡିଗୁଡ଼ିକରେ ମିଲର୍ସଙ୍କ ରାଜୁତି ଦେଖିବାକୁ ମିଳିଲାଣି। ବିଭିନ୍ନ ମଣ୍ଡିକୁ ମିଲର୍ସ ଯାଉନଥିବାରୁ ବୁଧବାର ସୁଦ୍ଧା ୧୨ ହଜାରରୁ ଅଧିକ ଧାନ ବସ୍ତା ମଣ୍ଡିରେ ପଡ଼ିରହିଛି। ଏନେଇ ବିଭାଗୀୟ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି ।

ଚଳିତ ବର୍ଷ ଧାନ କ୍ରୟ ପାଇଁ ହୋଇଥିବା ବୈଠକରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲା ଯେ, ଚାଷୀମାନଙ୍କ ଧାନ ଉଠାଣରେ କୌଣସି ସମସ୍ୟା ହେବାନାହିଁ। ଯଦି କେଉଁଠାରେ କିଛି ସମସ୍ୟା ହୁଏ ତେବେ ଜିଲ୍ଲା ବାହାରୁ ମିଲର୍ସମାନଙ୍କୁ ଅଣାଯିବ ବୋଲି ନିର୍ଦେଶ ଦିଆଯାଥିଲା। କିନ୍ତୁ ଯୋଗାଣ ବିଭାଗର ଛତ୍ରଛାୟା ତଳେ ରହି ମିଲର୍ସମାନେ ବର୍ତ୍ତମାନ ମଣ୍ଡିରେ ରାଜୁତି କରୁଛନ୍ତି। ବୁଧବାର ଜିଲ୍ଲାର ବିଭିନ୍ନ ମଣ୍ଡିରେ ୯୭ ଜଣ ଚାଷୀଙ୍କ ୧୨ ହଜାର ୫୭୯ ବସ୍ତା ଧାନ ପଡ଼ିରହିଛି। ବର୍ତ୍ତମାନ ଚାଷୀଙ୍କ ଠାରୁ କ୍ବିଣ୍ଟାଲ୍‌ ପିଛା ୨ରୁ ୫ କେଜି ପର୍ଯ୍ୟନ୍ତ କଟନି କରାଯାଉଥିବା ଅଭିଯୋଗ ହେଉଛି। ବେଲଟୁକୁରୀ ପେକ୍ସରେରେ ୪ ଜଣ ଚାଷୀଙ୍କ ୪୨ ବସ୍ତା, କେନ୍ଦୁମୁଣ୍ଡା ପେକ୍ସ୍‌ରେ ୫ଜଣ ଚାଷୀଙ୍କ ୬୬୫ ବସ୍ତା, ହାତୀବନ୍ଧା ପେକ୍ସରେ ୧୦ ଜଣ ଚାଷୀଙ୍କ ୧୨୮୦ ବସ୍ତା, ସିନାପାଲି ମଣ୍ଡିରେ ୧୮ ଜଣ ଚାଷୀଙ୍କ ୨୩୩୮ ବସ୍ତା, ନିଲଜୀ ମଣ୍ଡି‌‌ରେ ୧୦ ଜଣ ଚାଷୀଙ୍କ ୧୨୮୦ ବସ୍ତା, କରଙ୍ଗାମାଲ ୭ଜଣ ଚା‌ଷୀଙ୍କ ୬୫୦ ବସ୍ତା, ବୋଡ଼େନ ମଣ୍ଡିରେ ୯ଜଣ ଚା‌ଷୀଙ୍କ ୧୧୧୫ ବସ୍ତା, ଡୁଆଝର ମଣ୍ଡିରେ ୬ ଜଣ ଚାଷୀଙ୍କ ୧୧୦୫ ବସ୍ତା, ଜଡ଼ାମୁଣ୍ଡା, କାଣ୍ଡେତରା, ପେଣ୍ଡରାବନ ରେ ୧୧ ଜଣ ଚାଷୀଙ୍କ ୧୪୮୨ ବସ୍ତା ଧାନ ମଣ୍ଡିରେ ପଡ଼ିରହିଛି। କିନ୍ତୁ ମିଲର୍ସମାନେ ଧାନ ଉଠାଉନଥିବା ଅଭିଯୋଗ ହୋଇଛି। ବିଭିନ୍ନ ମଣ୍ଡିରେ ପ୍ରତିଦିନ ୧ ହଜାର କ୍ବିଣ୍ଟାଲ ଧାନ କ୍ରୟ କରିବାକୁ ପାଇଁ ନିର୍ଦେଶ ରହିଛି। ସେହି ଅନୁଯାଇ ଚାଷୀମାନଙ୍କ ଟୋକନ୍ ଆସୁଛି। କିନ୍ତୁ କିଛି ମଣ୍ଡିରେ ମାତ୍ର ୫ଶହ କ୍ବିଣ୍ଟାଲ ଧାନ କ୍ରୟ କରାଯାଉଥିବା ଜଣାଯାଇଛି। ମିଲର୍ସ ଅବହେଳା କରୁଥିବାରୁ ଚାଷୀମାନେ ଟୋକନ୍‌ ପାଇଥିଲେ ସୁଦ୍ଧା ମଣ୍ଡିରେ ଧାନ ବିକ୍ରି କରିପାରୁନାହାନ୍ତି। ଏହା ଉପରେ ଜିଲ୍ଲାପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଚାଷୀନେତା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର