ଆବାସ ଯୋଜନା ଘର କାମ ସାରି ନଥିବାରୁ ଦଣ୍ଡ: ୨୦ ପରିବାରକୁ ପିଡିଏସ୍‌ ଚାଉଳ ବନ୍ଦ

ଅନାହାରରେ ବୃଦ୍ଧାଙ୍କ ମୃତ୍ୟୁ ଅଭିଯୋଗ, ଜିଲ୍ଲାପାଳଙ୍କୁ ଭେଟିଲେ ବାବୁପାଲିବାସୀ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ପ୍ରଶାସନର ଅଜବ ନୀତି ଦେଖିବାକୁ ମିଳିଛି। ଆବାସ ଯୋଜନା ଘରକାମ ସଂପୂର୍ଣ୍ଣ କରି ନଥିବାରୁ ପିଡିଏସ୍‌ ଚାଉଳ ଯୋଗାଣ ବନ୍ଦ କରିବାକୁ ନିର୍ଦେଶ ଦେଇଛି। ଫଳରେ ଜିଲ୍ଲାର କୋମନା ବ୍ଲକ୍‌ ଠିକପାଲି ପଞ୍ଚାୟତ ବାବୁପାଲି ଗାଁର ୨୦ରୁ ଅଧିକ ପରିବାର ଗତ ୫ ମାସ ହେଲା ପିଡିଏସ୍‌ ଚାଉଳ ନପାଇ ହନ୍ତସନ୍ତ ହେଉଛନ୍ତି। ଏପରିକି ଜଣେ ଗରିବ ବୃଦ୍ଧା ଅନାହାରରେ ପ୍ରାଣ ହରାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ସଂପୃକ୍ତ ହିତାଧିକା‌ରୀମାନେ ଶୁକ୍ରବାର ନୂଆପଡ଼ା ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ଦୁଃଖ ବି ଜଣାଇଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗାଁର ୨୦ରୁ ୨୫ ଜଣ ହତାଧିକାରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଛନ୍ତି। ଘର ନିର୍ମାଣ କାମ ଆରମ୍ଭ କରିଛନ୍ତି। ‌ହେଲେ, ବିଭିନ୍ନ ଅସୁବିଧା କାରଣରୁ ସଂପୂର୍ଣ୍ଣ କରି ପାରିନାହାନ୍ତି। ଫଳରେ ସେମାନଙ୍କୁ ପଞ୍ଚାୟତ ତରଫରୁ ମିଳୁଥିବା ପିଡିଏସ୍‌ ଚାଉଳ ଯୋଗାଣ ଗତ ୫ ମାସ ହେଲା ବନ୍ଦ ହୋଇଯାଇଛି। ହିତାଧିକାରୀମାନେ ପଞ୍ଚାୟତର ସରପଞ୍ଚ ଓ ଇଓଙ୍କୁ ଭେଟି ଅଭିଯୋଗ କରିଥିଲେ। ଜିଲ୍ଲା ପ୍ରଶାସନର ନିର୍ଦେଶ ଅନୁସାରେ ଘର ସଂପୂର୍ଣ୍ଣ ନକରିବା ଯାଏ ଚାଉଳ ଦିଆଯିବ ନାହିଁ ବୋଲି କହି ହିତାଧିକାରୀମାନଙ୍କୁ ଫେରାଇ ଦିଆଯାଉଥିଲା। ଏପରିକି କରୋନା କାଳରେ ମଧ୍ୟ ମାଗଣା ପିଡିଏସ୍‌ ଚାଉଳ ଦିଆଯିବ ନାହିଁ ବୋଲି ଯୋଗାଣ ସହାୟକ କହିଥିଲେ। ଏହାର ସିଧାସଳଖ ପ୍ରଭାବ ଗାଁର ଲୋକମାନଙ୍କ ଉପରେ ପଡ଼ିଛି। ଚାଉଳ ବନ୍ଦହେବାରୁ ଗାଁର ଜଣେ ଗରିବ ମହିଳା ପ୍ରାଣ ହରାଇଥିବା ଜଣାପଡ଼ିଛି।

ଗାଁ ଲୋକଙ୍କ କହିବା କଥା, କମଳ ସିଂ ଶବର ୨୦୨୦-୨୧ରେ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିଲେ। ବିଭିନ୍ନ ସମସ୍ୟା ଯୋଗୁଁ ଆଜି ପର୍ଯ୍ୟନ୍ତ ଘର କାମ ସଂପୂର୍ଣ୍ଣ  କରି ପାରିନଥିଲେ। ଫଳରେ ପଞ୍ଚାୟତ ପକ୍ଷରୁ ଗତ ୫ ମାସ ହେଲା ତାଙ୍କର ଚଉଳ ବନ୍ଦ କରିଦିଆଯାଇଥିଲା। ତାଙ୍କ ସ୍ତ୍ରୀ ରୁକ୍ମିଣୀ ଶବର ବୃଦ୍ଧା ଅବସ୍ଥାରେ ଘରେ ପଡ଼ିରହିଛନ୍ତି। କମଳ ସିଂ କିଛିଦିନ ମାଗିଯାଚି ଯାହା ଆଣୁଥିଲେ, ସେଇଥିରେ ଚଳୁଥିଲେ। ପରେ କମଳଙ୍କ ଦେହ ମଧ୍ୟ ଅସୁସ୍ଥ ହେବାରୁ ସେ ଆଉ କୁଆଡ଼େ ଯାଇପାରି ନଥିଲେ। ଖାଦ୍ୟ ଅଭାବରୁ ତାଙ୍କ ସ୍ତ୍ରୀ ରୁକ୍ମିଣୀଙ୍କ ଗତ ୨୬ ତାରିଖ ଦିନ ମୃତ୍ୟୁ ହୋଇଥିବା କମଳ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ପଞ୍ଚାୟତ ପକ୍ଷରୁ ତାଙ୍କୁ ଗତ ୨୭ ତାରିଖ ଦିନ ଚାଉଳ ଦିଆଯାଇଛି ବୋଲି ସେ କହିଛନ୍ତି।

ଏ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି କୋମନା ବିଡିଓ ସୁଶାନ୍ତ ରଣା କହିଛନ୍ତି, ଆଜି ପର୍ଯ୍ୟନ୍ତ କୌଣସି ହିତାଧିକାରୀ ତାଙ୍କୁ ଏହି ବିଷୟରେ ଅଭିଯୋଗ କରିନାହନ୍ତି। ଆଜି ଖବର ପାଇଛନ୍ତ, ଏହା ଉପରେ ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ,  ଠିକ୍‌ପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ସତ୍ୟା ବରାଳ କହିଛନ୍ତି ଯେ ରୁକ୍ମିଣୀ ରୋଗରେ ଆକ୍ରାନ୍ତ ଥିବାରୁ ତାଙ୍କର ମୃତ୍ୟୁ ହୋଇଛି। ଭୋକ ଉପାସରେ ତାଙ୍କ ମୃତ୍ୟୁ ହୋଇନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର