ପେଠିଆପାଲିକୁ ବିକାଶ ଅପହଞ୍ଚ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ବ୍ଲକ ସୁନାବେଡ଼ା ଅଭୟାରଣ୍ୟ କେରମେଲି ପଞ୍ଚାୟତ ପେଠିଆପାଲି ଗ୍ରାମ ବିକାଶ ଠାରୁ ବହୁ ଦୂରରେ ରହି ଯାଇଛି। ନୂଆପଡ଼ା ସହରଠାରୁ ୧୨ କିମି ଦୂର ୫ଶହ ଫୁଟ୍‌ ଉପରେ ଏହି ବସତି ରହିଛି। ଏଠାରେ ଆଦିବାସୀ ଶ୍ରେଣୀର ଲୋକେ ବସବାସ କରୁଥିବା ବେଳେ କୃଷି ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏହି ଗାଁକୁ ରାସ୍ତା ଆରମ୍ଭ ହୋଇଥିଲା। ମାତ୍ର ଅଭୟାରଣ୍ୟ ଅନ୍ତର୍ଗତ ହୋଇଥିବାରୁ ରାସ୍ତା କାମ ବନ୍ଦ ହୋଇଯାଇଛି। ଫଳରେ ଏହି ଗାଁକୁ ଯାତାୟତରେ ଭାରି ଅସୁବିଧା ହେଉଛି। ଜରୁରିକାଳୀନ ସ୍ଥିତିରେ ଆମ୍ବୁଲାନ୍ସ ବି ଆସି ପାରୁ ନାହିଁ। ସେହିପରି ଏଠାରେ କୌଣସି ମୋବାଇଲ ନେଟ୍‌ଓ୍ଵାର୍କ ବି ନାହିଁ। ଏପରିକି ଶ୍ରମିକମାନେ ୨୦୧୩-୧୪ ମସିହାରେ ମନରେଗା ଯୋଜନାରେ ଜମି ମରାମତି କାମ କରି କରିଥିଲେ ମଧ୍ୟ ତାଙ୍କ ପାଉଣା ମିଳିନାହିଁ।

କେରମେଲି ପଞ୍ଚାୟତର ଅଧିବାସୀଙ୍କ ମିଳିଥିବା ଜଙ୍ଗଲ ଜମି ଚିହ୍ନଟ ମଧ୍ୟ ହୋଇ ନାହିଁ। ୨୦୦୮ ମସିହାରେ ୧୧୪ ଜଣ ଜଙ୍ଗଲ ଜମି ପଟା ପାଇଁ ଆବେଦନ କରିଥିଲେ। ୨୦୦୯ରେ ମାତ୍ର ୪୧ ଜଣ ଜଙ୍ଗଲ ଜମି ପଟା ପାଇଛନ୍ତି। ସେହିପରି ୨୦୧୩ରେ ୯୪ ଜଣ ଜଙ୍ଗଲ ଜମି ପଟା ପାଇଁ ଆବେଦନ କରିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ତାଙ୍କୁ କୌଣସି ଉତ୍ତର ମିଳିପାରି ନାହିଁ। ଗାଁର ଲୋକେ କେନ୍ଦୁପତ୍ର ତୋଳି ଭଲ ଦୁଇ ପଇସା ରୋଜଗାର କରିଥାନ୍ତି। ପୂର୍ବରୁ ଏହି ପଞ୍ଚାୟତର ଗୋଲାବନ୍ଦ, ପେଠିଆପାଲି, ତେଲେଇମାଲ, କାକେରମି ଠାରେ ଫଡ଼ିଥିଲା। ଲୋକେ ସହଜରେ କେନ୍ଦୁପତ୍ର ତୋଳି ସହଜରେ ଫଡିରେ ଦେଇପାରୁଥିଲେ। ହେଲେ କିଛି ବର୍ଷ ହେବ ୮ କିମି ଦୂର ଟାନଓ୍ଵାଟ ଏବଂ ଝିପାବାହାଲ ଠାରେ କେନ୍ଦୁ ପତ୍ରଫଡ଼ି ହେବାଦ୍ୱାରା ଏବଂ ଗାଁର ଫଡି ବନ୍ଦ ହୋଇଯିବା ଫଳରେ ଲୋକେ ବାଧ୍ୟ ହୋଇ ଦାଦନ ଯାଉଛନ୍ତି।

ଦାଦନ ଯାଉଥିବା ପରିବାରର ଛୁଆପିଲାଙ୍କ ପାଇଁ ଉକ୍ତ ଅଞ୍ଚଳରେ ଋତୁକାଳୀନ ଆବସିକ ସ୍କୁଲ ନଥିବାରୁ ବାଧ୍ୟ ହୋଇ ଛୋଟ ଶିଶୁ ମାନେ ବାପାମା’ଙ୍କ ସହିତ ଦାଦନ ଖଟିଯାଉଛନ୍ତି ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି। ଏପଟେ ବହୁ ପିଲାଙ୍କ ଆଧାର କାର୍ଡ ହୋଇପାରି ନଥିବା ବି ଜଣାଯାଇଛି। ଏନେଇ ଏକ ବୈଠକ ସ୍ଥାନୀୟ ପେଠିଆପାଲି ଗ୍ରାମରେ ଉକ୍ତ ଅଂଚଳର ଆଦିବାସୀ ଜନତାଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ସାଇ ଖଡିଆଲ ଅନୁଷ୍ଠାନ ଆୟୋଜନ କରିଥିଲା ଉକ୍ତ ଅନୁଷ୍ଠାନର ମହେନ୍ଦ୍ର ବାଗ, କୈଳାସ ନାଏକ, ଦୁରବାସା ଜଗତ, ପୂର୍ଣ୍ଣଚନ୍ଦ୍ର ସୁନାନୀ ପ୍ରମୁଖ ସହେଯାଗ କରିଥିଲେ। କେରମେଲି ସମିତି ସଭ୍ୟା ସୁକାନ୍ତି ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଫରେଷ୍ଟ ରାଇଟ ଆକ୍ଟ ସଭାପତି ପର୍ଶୁରାମ ମାଝୀ, ସଂପାଦକ ଦେବରାଜ ମାଝୀ, ଲୁପସିଂ ମାଝୀ, ମୀନା ସୁନାନୀ, ସୁନାଧର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର