ନୂଆପଡ଼ା: ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଗୁରୁବାର ପ୍ରସବ ପାଇଁ ଆସିଥିବା ବୋଡ଼େନ ବ୍ଲକ୍‌ ଲିଟିସର୍ଗୀ ଗାଁର ଚୈତନ୍ୟ ବାଗଙ୍କ ପତ୍ନୀ ସୈରେନ୍ଦ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିପାଇଁ ପରିବାର ଲୋକେ ଡାକ୍ତରଖାନା କର୍ମଚାରୀଙ୍କୁ ଦାୟୀ କରିଥିଲେ। ଡାକ୍ତରଖାନା ପରିସରରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।
ସୈରିନ୍ଦ୍ରୀଙ୍କ ପରିବାର ଲୋକଙ୍କ ସୂତ୍ରରୁ ପ୍ରକାଶ ଯେ ପ୍ରସବ ବେଦନା ହେବାରୁ ଗୁରୁବାର ସକାଳୁ ତାଙ୍କୁ ପ୍ରଥମେ ବୋଡ଼େନ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ଖଡିଆଳ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ମଧ୍ୟ ଡାକ୍ତର ହାତ ଟେକି ଦେଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନେବାକୁ ପରାମର୍ଶ ଦେଇଥିଲେ। ଦିନ ଅଢ଼େଇଟାରେ ନୂଆପଡ଼ା ମୁଖ୍ୟ ଡାକ୍ତରଖାନାରେ ଆଣି ଭର୍ତ୍ତି କରିଥିଲେ। ସେତେବେଳେ ଛୁଆ କଥା ପରିବାର ଲୋକଙ୍କୁ ଅଜଣା ଥିବା ବେଳେ ସେରିନ୍ଦ୍ରୀ ଭଲ ଭାବେ କଥାବାର୍ତ୍ତା କରି ପାରୁଥିଲେ। ସୈରିନ୍ଦ୍ରୀଙ୍କୁ ଚିକିତ୍ସା ପାଇଁ ଉପର ମହଲାକୁ ନିଆଯାଇଥିବା ବେଳେ ପରିବାର ଲୋକଙ୍କୁ ସେଠାକୁ ଛଡ଼ା ଯାଇ ନଥିଲା। ସନ୍ଧ୍ୟାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ କୁହାଯାଇଥିଲା।

Advertisment

ଚିକିତ୍ସାରେ ଅବହେଳା ଯୋଗୁଁ ସୈରିନ୍ଦ୍ରୀଙ୍କ ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ। ଏହାକୁ ନେଇ ଡାକ୍ତରଖାନା ପରିଦର୍ଶନରେ ଆସିଥିବା ଜିଲ୍ଲାପାଳଙ୍କୁ ମଧ୍ୟ ଗୁହାରି କରିଥିଲେ। ଜିଲ୍ଲାପାଳ ତୁରନ୍ତ ରେଡକ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା ଦେବାକୁ ପରାମର୍ଶ ଦେଇଥିବା ବେଳେ ଘଟଣାର ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏପଟେ ଆମୋନାଇଟିକ୍‌ ଫ୍ଲୁଇଡ଼୍‍ ଆମ୍ବୋଲାଇଜିମ୍‌ରେ ମୃତ୍ୟୁ ହୋଇଥିବା ମେଡ଼ିକାଲ ଅଫିସର ପ୍ରକାଶ କରିଛନ୍ତି। ତେବେ ତୁରନ୍ତ ମହିଳାଙ୍କ ଶବକୁ ମହାପ୍ରୟାଣ ଗାଡ଼ିରେ ତାଙ୍କ ଗ୍ରାମକୁ ପଠା ଯାଇଥିଲା।