ସରଧାପୁରରେ ପାନୀୟ ଜଳ ସମସ୍ୟା

ଖଡିଆଳ: ଖଡିଆଳ ବ୍ଲକ ସରଧାପୁର ଗ୍ରାମରେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଦେଇଛି। ଏଠାରେ ଖନନ କରାଯାଇଥିବା ନଳକୂଅ ଗୁଡିକରେ ମାତ୍ରାଧିକ ଫ୍ଲୋରାଇଡ ଯୋଗୁଁ ବିଭାଗ ପକ୍ଷରୁ ବ୍ୟବହାର ପାଇଁ ମନା କରାଯାଇଛି। କିନ୍ତୁ ପାଣିର ବିକଳ୍ପ ବ୍ୟବସ୍ଥା ନଥିବାରୁ ଲୋକେ ଫ୍ଲୋରାଇଡ ମିଶ୍ରିତ ପାଣିକୁ ବ୍ୟବହାର କରୁଛନ୍ତି। ସେହିଭଳି ନଳକୂଅ ଗୁଡିକ ପୁରୁଣା ହୋଇଥିବା ଯୋଗୁଁ ପାଣିରେ କାଦୁଅ, ଧୂଳି, ବାଲି ରହୁଛି। ଏହି ପାଣିକୁ ସେବନ କଲେ ନାନାଦି ରୋଗର ଶିକାର ହେଉଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଚଳିତବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ନଦୀ, ନାଳ, ପୋଖରୀ ସବୁ ଶୁଖି ଗଲାଣି। ନଳକୂଅ ଗୁଡିକରେ ଜଳସ୍ତର ହ୍ରାସ ପାଇବାକୁ ଲାଗିଛଛି। ଗରାଏ ପାଣି ପାଇଁ ଘଣ୍ଟାଘଣ୍ଟା ଧରି ଧରି ଧାଡିରେ ଛିଡା ହେବାକୁ ପଡୁଛି।

ଅନ୍ୟପକ୍ଷେ କିଛିଲୋକ ଖୋଳା କୂଅଁର ପାଣିକୁ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି। ଜିଲ୍ଲା ଜଳସ୍ୱାସ୍ଥ୍ୟ ବିଭାଗ ନିକଟସ୍ଥ ନାଳ କିମ୍ବା ସୁନ୍ଦର ନଦୀ ମୁହାଣରୁ ପାଇପ୍‌ ଯୋଗେ ଜଳ ଯୋଗାଣ ପାଇଁ ଗାଁ ଲୋକେ ଦାବି କରିଛନ୍ତି। ପଞ୍ଚାୟତ ମାନଙ୍କୁ ଦିଆଯାଉଥିବା ସମୁଦାୟ ପାଣ୍ଠିରୁ ଶତକଡା ୩୦ ଭାଗ ଅର୍ଥ ଜଳ ଯୋଗାଣରେ ଖର୍ଚ୍ଚ କରିବା ପାଇଁ ନିର୍ଦେଶ ଦିଆଯାଇଥିବା ଖଡିଆଳ ବିଡିଓ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର