ସ୍କୁଲ ଗୃହ ପାଇଁ ପଡ଼ିରହିଛି ୨ କୋଟିର ଅନୁଦାନ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଶ୍ରେଣୀ ଗୃହ ଅଭାବ ଯୋଗୁଁ ଛାତ୍ରଛାତ୍ରୀମାନେ କେଉଁଠି ଗଛତଳେ ତ କେଉଁଠି ବାରଣ୍ଡାରେ ବସି ପାଠ ପଢୁଛନ୍ତି। ଅନ୍ୟ କେଉଁଠି ଗୋଟିଏ କୋଠରିରେ ଏକାଧିକ ଶ୍ରେଣୀର ପିଲା ବସି ପାଠ ପଢୁଛନ୍ତି। ଅନ୍ୟପକ୍ଷେ ପ୍ରଶାସନର ଆଗ୍ରହ ନଥିବା ଯୋଗୁଁ ସ୍କୁଲ ଗୃହ ନିର୍ମାଣ ପାଇଁ ଦେଢ଼ ବର୍ଷ ତଳେ ଆସିଥିବା ୧ କୋଟି ୯୪ ଲକ୍ଷ ୯୫ ହଜାର ଟଙ୍କା ପଡ଼ି ରହିଛି।
ନୂଆପଡା ଜିଲ୍ଲାର ୨୧ଟି ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ମାନଙ୍କର ଆବଶ୍ୟକ ଭିତ୍ତି ଭୂମି ବିକାଶ ପାଇଁ ଗଣଶିକ୍ଷା ବିଭାଗ ଉକ୍ତ ଟଙ୍କା ମଂଜୁର କରି ପାଣ୍ଠି ପ୍ରଦାନ କରିଛନ୍ତି। ଏହି ଅର୍ଥ ସିଧାସଳଖ ନୂଆପଡା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ନୂଆପଡା ବ୍ଲକର ସାଇପଲା ହାଇସ୍କୁଲକୁ ୧୦ ଲକ୍ଷ, ଜାମପାଣି ହାଇସ୍କୁଲକୁ ୪ଲକ୍ଷ ୯୫ ହଜାର, କୋମନା ବ୍ଲକର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୁରେଶ୍ୱରକୁ ୫ ଲକ୍ଷ, ସୁନାଦେଇ ହାଇସ୍କୁଲ ବିଶିବାହାଲକୁ ୫ ଲକ୍ଷ, ମୁଣ୍ଡାପଲା ହାଇସ୍କୁଲକୁ ୧୦ ଲକ୍ଷ, ସିଆଲଲଟି ହାଇସ୍କୁଲକୁ ୧୦ ଲକ୍ଷ. ଖଡିଆଳ ବ୍ଲକର ଚଲାନପଡା, ସାନ ମହେଶ୍ୱର, ରାନୀମୁଣ୍ଡା, ଖୁଦପେଜ, କେନ୍ଦୁପାଟି, ଚନାବେଡା ଓ ଦାବ୍ରୀସ୍ଥିତ ହାଇସ୍କୁଲ ମାନଙ୍କୁ ୧୦ ଲକ୍ଷ ଲେଖାଏଁ ମଂଜୁର କରାଯାଇଛି।

ସିନାପାଲି ବ୍ଲକର ମହଗାଁ, କୁସୁମେଝାର, ଲିଆଡ, ଭଟାପାଣି, ଖଇରପଦର ଓ ଗୋର୍ଲାସ୍ଥିତ ଉହାଇସ୍କୁଲକୁ ୧୦ ଲକ୍ଷ ଲେଖାଏଁ ଓ ବୋଡେନ ବ୍ଲକର କେରାପଦର ଓ ରୋକାଲ ହାଇସ୍କୁଲକୁ ୧୦ ଲକ୍ଷ ହିସାବରେ ମୋଟ ୧ କୋଟି ୯୪ ଲକ୍ଷ ୯୫ ହଜାର ଟଙ୍କା ମିଲିଛି। ଗାଇଡଲାଇନ ଅନୁସାରେ ନୂଆପଡା ଜିଲ୍ଲା ଶିକ୍ଷାଧିକାରୀ ୭.୩.୨୦୧୭ରେ ନୂଆପଡା ବିଡିଓଙ୍କୁ ୧୪ ଲକ୍ଷ ୯୦ ହଜାର ଟଙ୍କା, କୋମନା ବିଡିଓଙ୍କୁ ୩୦ଲକ୍ଷ ଟଙ୍କା, ଖଡିଆଲ ବିଡିଓଙ୍କୁ ୭୦ ଲକ୍ଷ ଟଙ୍କା, ସିନାପାଲି ବିଡିଓଙ୍କୁ ୬୦ ଲକ୍ଷ ଟଙ୍କା ଓ ବୋଡେନ ବିଡିଓଙ୍କୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିଥିବା ଜଣାଯାଇଛି। ସଂପୃକ୍ତ ବିଡିଓମାନେ ଏହି ଅର୍ଥକୁ ବିନିଯୋଗ କରିବା ପାଇଁ ମଧ୍ୟ ନିର୍ଦେଶ ରହିଛି। କିନ୍ତୁ ବିଡିଓମାନେ ଉକ୍ତ ଅର୍ଥ ପାଇବାର ୧୬ ମାସ ପରେ ମଧ୍ୟ କୌଣସି ବ୍ଲକ୍‌ରେ ଶ୍ରେଣୀଗୃହ ନିର୍ମାଣ କରିନଥିବା ଜଣାଯାଇଛି। ଏ ସମ୍ପର୍କରେ ଡିଇଓ ଲକ୍ଷ୍ମଣ ଭୋଇଙ୍କୁ ପଚାରିବାରୁ ଆମେ ବିଡିଓମାନଙ୍କୁ ଅର୍ଥ ବିନିଯୋଗ କରିବା ପାଇଁ ଚିଠି ମାଧ୍ୟମରେ ଜଣାଇଛୁ, ବର୍ତ୍ତମାନ ପର୍ଯ୍ୟନ୍ତ ୨ଟି ବିଦ୍ୟାଲୟର କାର୍ଯ୍ୟ ଆରମ୍ଭ ହୋଇଛି ବୋଲି କହିଥିଲେ। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର