ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଦାଦନ ଶ୍ରମିକଙ୍କ ଦୁଃଖ ବଢ଼ିଚାଲିଛି। ପାରିଶ୍ରମିକ ମାଗିବାରୁ ଇଟାଭାଟି ମାଲିକ ମାଡ଼ ମାରି ଜଣେ ଶ୍ରମିକଙ୍କ ହାତଭାଙ୍ଗି ଦେବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ନୂଆପଡ଼ା ଥାନା ଜାମଧରାହା (ଝାଞ୍ଜିମୁଣ୍ଡା) ଗ୍ରାମର ଡୁଲାମଣି ଲୁହାର (୩୧) ସ୍ତ୍ରୀ, ପୁଅ, ଝିଅଙ୍କୁ ନେଇ ୨୦୨୧ ମସିହା ଅକ୍ଟୋବର ମାସରେ ବଲାଙ୍ଗୀର ଜିଲ୍ଲା ଲାଠୋର ଗ୍ରାମର ଶ୍ରମିକ ଦଲାଲ ଟଙ୍କ ରଣା ଜରିଆରେ ଦାଦନ ଖଟିବାକୁ ତେଲେଙ୍ଗାନା ରାଜ୍ୟକୁ ଯାଇଥିଲେ। ଦଲାଲ ଟଙ୍କ ତାଙ୍କୁ ତେଲେଙ୍ଗାନା ରାଜ୍ୟ ରଜନ୍ନା ସରକିଲା ଜିଲ୍ଲାର ରଗୁଡୁ ଗ୍ରାମକୁ ନେଇଥିଲା। ସେଠାରେ କେ. ଟିପି ଇଟା କମ୍ପାନି ମାଲିକ ତିରୁପତିଙ୍କ ପାଖରେ ଶ୍ରମିକମାନେ ନିୟୋଜିତ ହୋଇଥିଲେ। କାମ କରିବା ଦିନଠାରୁ ମାଲିକ ଓ ତାଙ୍କର ସହଯୋଗୀମାନେ ବିଭିନ୍ନ ସମୟରେ ବିନା କାରଣରେ ମାରିଦେବାକୁ ଧମକ ଦେଉଥିଲେ। ଏ ବାବଦରେ ସେ ଶ୍ରମିକ ଦଲାଲ ଟଙ୍କଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ। ମାତ୍ର ସେ କିଛି ପଦକ୍ଷେପ ନେବା ବଦଳରେ ଓଲଟା ଧମକ ଦେଉଥିଲା।

Advertisment

ଏପରି କିଛି ମାସ ଗଲା ପରେ ମାର୍ଚ୍ଚ ୨୩ ତାରିଖ ଦିନ ଡୁଲାମଣି ତିଆରି କରିଥିବା ୨ଲକ୍ଷ ୨ ହଜାର ଇଟାର ପାରିଶ୍ରମିକ ମାଗିଥିଲେ। ହେଲେ ମାଲିକ ତିରୁପତି ଟଙ୍କା ଦେବାକୁ ମନା କରିବା ସହ ଏ ବାବଦରେ ଟଙ୍କା ରଣା ସହ କଥା ହେବାକୁ କହିଥିଲେ। ତେଣୁ ଡୁଲାମଣି ଟଙ୍କକୁ ଫୋନ କରି ପାରିଶ୍ରମିକ ଟଙ୍କା ତାଙ୍କ ବାପାଙ୍କୁ ଦେଇ ଦେବାକୁ ଅନୁରୋଧ କରିଥିଲେ। କିନ୍ତୁ ଟଙ୍କ ଟଙ୍କା ଦେବାକୁ ମନା କରି ଦେଇଥିଲା। ପରେ ବାଧ୍ୟ ହୋଇ ସେ ପୁଣି ମାଲିକ ପାଖକୁ ଯାଇ ପାରିଶ୍ରମିକ ମାଗିଥିଲେ। ତେବେ ମାଲିକ ପାରିଶ୍ରମିକ ଦେବା ବଦଳରେ ଲୁହାରଡ଼ରେ ବାଡ଼େଇ ଥିଲା। ଏଥିରେ ତାଙ୍କ ହାତ ଭାଙ୍ଗି ଯାଇଥିଲା। ପାଟି ଶୁଣି ପାଖରେ ଥିବା ଶ୍ରମିକମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ପରେ ନୂଆପଡ଼ା ଗରିବ ସେନା ସଭାପତି ରବି ମଙ୍ଗରାଜ ହାଇଦ୍ରାବାଦର ସଖାଲ ଏନଜିଓର ସହାୟତାରେ ଡୁଲାମଣି ଏବେ ସପରିବାର ଘରକୁ ଫେରିଛନ୍ତି। ଶୁକ୍ରବାର ସେ ନୂଆପଡ଼ା ଥାନାରେ ଇଟାଭାଟି ମାଲିକ ତିରୁପତି ଓ ସ୍ଥାନୀୟ ଦଲାଲ ଟଙ୍କ ରଣା ନାମରେ ଏତଲା ଦେଇଛନ୍ତି।