ଶିକ୍ଷକଙ୍କ ମାନସିକ ନିର୍ଯାତନା: ୫ ଦିନ ହେଲା ସ୍କୁଲ ଯାଉ ନାହାନ୍ତି ଛାତ୍ର

ନୂଆପଡ଼ା: କୋମନା ବ୍ଲକ୍‌ ମିଛାପାଲି ପଞ୍ଚାୟତ ବିଶବାହାଲ ଗାଁର ସ୍କୁଲରେ ଜଣେ ହିମୋଫେଲିଆ ଛାତ୍ରଙ୍କୁ ଜନୈକ ଶିକ୍ଷକ ଆକ୍ରୋଶ ମୂଳକ ଭାବେ ମାନସିକ ନିର୍ଯାତନା ଦେବାରୁ ଛାତ୍ର ଜଣକ ସ୍କୁଲ ଆସୁନଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ବିଶବାହଲ ଉଚ୍ଚ ପ୍ରାଥମିକ ସ୍କୁଲରେ ସୁରେନ୍ଦ୍ର ନାୟକଙ୍କ ପୁଅ ସ୍ୱାଗତ କୁମାର ନାୟକ (୧୩) ଅଷ୍ଟମ ଶ୍ରେଣୀର ଛାତ୍ର। ସେ ଜନ୍ମରୁ ହିମୋଫେଲିଆ ରୋଗରେ ଆକ୍ରାନ୍ତ। ତେବେ ତାଙ୍କୁ ସ୍କୁଲର ଶିକ୍ଷକ ସୁଦୀପ୍ତ ମହାରାଜ ଗତବର୍ଷଠାରୁ ବାରମ୍ବାର ବିଭିନ୍ନ ପ୍ରକାର କଟୁ କଥା କହି ସ୍ୱାଗତଙ୍କୁ ସମସ୍ତଙ୍କ ସମ୍ମୁଖରେ ଅପମାନିତ କରି ଆସୁଥିବା ଅଭିଯୋଗ ହୋଇଛି। ଫଳରେ ଗତ ୫ ଦିନ ହେବ ସେ ସ୍କୁଲ ଆସିବାକୁ ଇଚ୍ଛା କରୁ ନାହାନ୍ତି। ଏନେଇ ସ୍ୱାଗତଙ୍କ ବାପା ସୁରେନ୍ଦ୍ର ବିଇଓ, ଜିଲ୍ଲାପାଳ ତଥା ଉଚ୍ଚ କର୍ତୁପକ୍ଷଙ୍କ ସହ ହିମୋଫଲିଆ ସୋସାଇଟି ଭୁବନେଶ୍ୱର ଓ ରାଉରକେଲା ଠାରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ସଂପୃକ୍ତ ଶ୍ରୀ ମହାରାଜଙ୍କୁ ପଚାରିବାରୁ, ସେ ସେମିତି କିଛି ନିର୍ଯାତନା ଦେଇନଥିବା କହିଛନ୍ତି। ପ୍ରଧାନ ଶିକ୍ଷକ ଜଗମୋହନ ବନଗୋଳାଙ୍କୁ ପଚାରିବାରୁ, ଏ ନେଇ ଜଣେ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ହୋଇଥିବା ସ୍ୱୀକାର କରିଛନ୍ତି। ସେ ପୁଣି କହିଛନ୍ତି ଯେ, ‘ମୁଁ ସିଆରସିସିଙ୍କ ସହ ତାଙ୍କ ଘରକୁ ଯାଇ ଛାତ୍ର କିପରି ଆସି ପରୀକ୍ଷା ଦେବ ସେ ନେଇ ବୁଝା ସୁଝା କରିଛୁ’ ବୋଲି କହିଛନ୍ତି। ତେବେ ଉଚ୍ଚ କତୃପକ୍ଷ ତୁରନ୍ତ ଦୃଷ୍ଟିଦେଇ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର