ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଲା କଲେଜଛକ ପଡ଼ାର ମଧୁ ନାଏକ ଓ ନଳିନୀ ନାଏକଙ୍କ ଚାରି ବର୍ଷର ନାବାଳକ ଦୁର୍ଗେଶଙ୍କୁ ଏକ ବାରୁଦ ବୋଝେଇ ୪୦୭ ଗାଡ଼ି ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ଉତ୍ତ୍ୟକ୍ତ ଲୋକେ ଖଡ଼ିଆଳ-ଭବାନୀପାଟଣା ରାଜ୍ୟ ରାଜପଥ ୧୬ର ତୁକଲା କଲେଜଛକ ଠାରେ ରାସ୍ତା ଅବରୋଧ କରିଛନ୍ତି।
ଆଜି ଦୁର୍ଗେଶ ଖେଳୁଥିବା ବେଳେ ଗାଡ଼ିଟି ତାଙ୍କୁ ଧକ୍କା ଦେଇଥିଲା। ଲୋକେ ତାଙ୍କୁ ଖଡ଼ିଆଳ ଡାକ୍ତରଖାନା ନେଇଥିଲେ ଓ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଥିଲେ। ଡ୍ରାଇଭରକୁ ପୁଲିସ ଗିରଫ କରିଥିବା ବେଳେ ଦଶ ଲକ୍ଷ ଟଙ୍କାର କ୍ଷତିପୂରଣ, ପରିବାରକୁ ଘର ଯୋଗାଣ, ରାସ୍ତାରେ ବ୍ରେକର ନିର୍ମାଣ ଆଦି ଲୋକେ ଦାବି କରିଛନ୍ତି। ଖଡ଼ିଆଳ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।
ଖଡ଼ିଆଳ ତହସିଲଦାର ସିନ୍ଧୁସୁତା ପାତ୍ର ରେଡକ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା ପ୍ରଦାନ ପ୍ରତିଶ୍ରୁତି ସହ ନିୟମାନୁସାରେ ଅନ୍ୟ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ଉଠା ଯାଇଥିଲା। ତୁକଲା ସରପଞ୍ଚ ଭଗତ ରାମ ମେହେର ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ପ୍ରଦାନ କରିଥିଲେ।