ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାଣ୍ୟରରେ ପ୍ରସ୍ତାବିତ ବ୍ୟାଘ୍ର ପ୍ରକଳ୍ପରେ ବାଘ ସଂଖ୍ୟା ହ୍ରାସ ପାଇବା ଚିନ୍ତାର ବିଷୟ ହୋଇଛି। ୨୦୧୬ ମସିହା ବାଘ ଗଣନା ରିପୋର୍ଟ ଅନୁଯାୟୀ ସୁନାବେଡ଼ା ଅଭୟାରଣ୍ୟରେ ମହାବଳ ବାଘ ୪ଟି, କଲରାପତରିଆ ୨୦ ଟି ଥିବା ଜଣାପଡ଼ିଥିଲା। ଅଭୟାରଣ୍ୟରେ ପ୍ରତି ୩ ବର୍ଷରେ ବାଘ ସଂଖ୍ୟା କମିବାରେ ଲାଗିଛି। ବାଘ ସଂଖ୍ୟା କମୁଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି।

Advertisment

ନୂଆପଡ଼ା ଜିଲ୍ଲା ପଶ୍ଚିମ ସୀମାନ୍ତରେ ନୂଆପଡ଼ା ସୁନାବେଡ଼ାର ୧୨ଟି ପଞ୍ଚାୟତର ୫୨ଟି ଛୋଟବଡ଼ ଗାଁକୁ ନେଇ ୧୯୮୪ ମସିହାରେ ସରକାର ଅଭୟାରଣ୍ୟ ଘୋଷଣା କରିଥିଲେ। ସମୁଦ୍ର ପତନ ଠାରୁ ୩ ହଜାର ଫୁଟ୍‌ ଉଚ୍ଚରେ ଛତିଶଗଡ଼ ରାଜ୍ୟ ଉଦନ୍ତି ଅଭୟାରଣ୍ୟକୁ ଏହା ସଂଲଗ୍ନ ହୋଇ ରହିଛି। ସୁନାବେଡ଼ା ଅଭୟାରଣ୍ୟ ଦକ୍ଷିଣରେ ସିନାପାଲି ବ୍ଲକ୍‌ ନଙ୍ଗଲବୋଡ଼, ନୂଆପଡ଼ା ବ୍ଲକ୍‌ର ଧରମବନ୍ଧା, କୋମନା ବ୍ଲକ୍‌ର ଚେରେଚୁଆଁ ତାଲାବେଲା ଜଲମଡ଼େଇ ଅଛି। ୬ଶହ ବର୍ଗ କିମି ଆୟତନ ବିଶିଷ୍ଟ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ଭିତରେ ବହୁ ବନ୍ୟଜନ୍ତୁ ପକ୍ଷୀଙ୍କ ସୁରକ୍ଷିତ ବାସସ୍ଥାନ ପାଲଟିଥିଲା। ୧୯୯୬ରେ କେନ୍ଦ୍ର ସରକାର ସୁନାବେଡ଼ା ଅଭୟାରଣ୍ୟରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ ଅନୁମତି ମିଳିନଥିବାରୁ ତାହା ବର୍ତ୍ତମାନ ଅଟକି ରହିଛି।

publive-image Smithsonian Magazine

ସୁନାବେଡ଼ା ଅଭୟାରଣ୍ୟରେ ୧୨ ମେ ଠାରୁ ୧୫ ମେ ୧୯୯୫ ମସିହାରେ ସରକାରଙ୍କ ନିର୍ଦେଶରେ ନୂଆପଡ଼ା ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ନେତୃତ୍ବରେ ବାଘ ଗଣନା ଆରମ୍ଭ ହୋଇଥିଲା। ଏଥିରେ ୧୦ ଟି ମହାବାଳ ବାଘ ଓ ୪୧ଟି କଲରାପତରିଆ ଥିବା ଜଣାପଡ଼ିଥିଲା। ୫ଟି ଅଣ୍ଡିରା ମହାବଳ ଓ ୫ଟି ମାଈ ମହାବାଳ ବାଘ ଥିଲେ। ସେହିପରି ୧୦ଟି ଅଣ୍ଡିରା କଲରାପତରିଆ ଓ ୧୦ ଟି ମାଈ ଥିବା ଜଣାପଡ଼ିଥିଲା। ୧୯୯୮ ମସିହା ୯ ମେ ରୁ ୧୫ ମେ ମଧ୍ୟରେ ଦ୍ବିତୀୟ ଥର ପାଇଁ ବାଘ ଗଣନା ହୋଇଥିଲା। ଏହି ଗଣନାରେ ୧୬ଟି ମହାବଳ ବାଘ ଓ ୨୩ ଟି କଲରାପତରିଆ ବାଘ ଥିବା ଜଣାପଡ଼ିଥିଲା। ସେଥିରୁ ୫ଟି ଅଣ୍ଡିରା ମହାବଳ ବାଘ ଓ ୯ଟି ମାଈ ବାଘ ରହିଥିଲା। ୮ଟି ଅଣ୍ଡିରା କଲରାପତରିଆ ଓ ୫ଟି ମାଈ ବାଘ ରହିଥିଲା। ଅନ୍ୟଗୁଡ଼ିକ ଛୁଆ ବାଘ ଥିଲେ। ୭ ମେ ୨୦୦୦ ମସିହାରେ ତୃତୀୟ ଥର ବାଘ ଗଣନା ହୋଇଥିଲା। ଏହି ଗଣନାରେ ୧୨ଟି ମହାବଳ ବାଘ ଓ ୧୨ଟି କଲରାପତରିଆ ବାଘ ଥିବା ଜଣାପଡ଼ିଥିଲା। ଏଥିରେ ୫ଟି ମାଈ ମହାବଳ ବାଘ ଥିବାବେଳେ ୫ଟି ମାଈ କଲରାପତରିଆ ବାଘ ରହିଥିଲା। ୫ ଜାନୁଆରି ୨୦୦୪ ମସିହାରେ ଚତୁର୍ଥ ଥର ପାଇଁ ସୁନାବେଡ଼ା ଅଭୟାରଣ୍ୟରେ ବାଘ ଗଣନା ହୋଇଥିଲା। ଏଥିରେ ୩୨ ଟି ମହାବଳ ବାଘ ଓ ୧୪ ଟି କଲରାପତରିଆ ବାଘ ଥିବା ଜଣାପଡ଼ିଥିଲା। ୧୧ଟି ଅଣ୍ଡିରା ମହାବାଳ ବାଘ ଓ ୧୦ଟି ମାଈ ବାଘ ଥିବାବେଳେ ୧୪ଟି ଅଣ୍ଡିରା କଲରାପତରିଆ ୧୭ଟି ମାଈ ବାଘ ରହିଥିଲା। ପରେ ଅଭୟାଣ୍ୟରେ ମାଓବାଦୀଙ୍କ ଉପସ୍ଥିତ ଯୋଗୁଁ ସରକାର ବାଘ ଗଣନା କିଛି ବର୍ଷ ପାଇଁ ବନ୍ଦ କରିଥିଲେ। ୫ ଫେବ୍ରୁଆରି ୨୦୧୬ ମସିହାରେ ପୁଣି ପଞ୍ଚମ ଥର ପାଇଁ ବାଘ ଗଣନା ହୋଇଥିଲା। ଏଥିରେ ୪ଟି ମହାବଳ ବାଘ ଥିବାବେଳେ ୨୦ଟି କଲରାପତରିଆ ବାଘ ରହିଥିଲା। ସେଥିମଧ୍ୟରୁ ଗୋଟିଏ ଅଣ୍ଡିରା ମହାବଳ ବାଘ ଓ ୩ଟି ମାଈ ବାଘ ରହିଥିଲା। ସେହିପରି ୬ଟି ଅଣ୍ଡିରା କଲରାପତରିଆ ଓ ୧୧ ଟି ମାଈ ବାଘ ରହିଥିବା ଜଣାପଡ଼ିଛି।

ଏହି ବାଘ ଗଣନା ରିପୋର୍ଟକୁ ଅନୁମାନ କଲେ ଅଭୟାରଣ୍ୟରେ ବାଘ ସଂଖ୍ୟ ଧୀରେଧୀରେ କମିବାରେ ଲାଗିଛି। ସୁନାବେଡ଼ା ଓ ଉଦନ୍ତି ଅଭୟାରଣ୍ୟ ଛତିଶଗଡ଼ ସୀମନ୍ତରେ ଥିବାରୁ ଅନେକ ସମୟରେ ବାଘ ଶିକାର କରାଯାଇ ରାଜ୍ୟ ବାହାରକୁ ଚାଲାଣ କରାଯାଉଛି। ଏଥିପାଇଁ ଅଭୟାରଣ୍ୟରେ ବାଘ ସଂଖ୍ୟା କମିବାରେ ଲାଗିଛନ୍ତି। ପୁଲିସ ଓ ବନ ବିଭାଗ କର୍ମଚାରୀ ଛତିଶଗଡ଼ର ବହୁ ଶିକାରୀଙ୍କୁ ଗିରଫ କରି ବାଘ ଛାଲ, ଦାନ୍ତ ଜବତ କରିଛି। କିନ୍ତୁ ନିୟମିତ ବ୍ୟବଧାନରେ ଚଢ଼ଉ ହେଉନଥିବାରୁ ବନ୍ୟପ୍ରାଣୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ବାଘ ସଂଖ୍ୟା ହ୍ରାସ ପାଉଥିବାରୁ ପରିବେଶପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ରିପୋର୍ଟ- ଅଶ୍ବିନୀ ପାଣିଗ୍ରାହୀ