ନୂଆପଡ଼ାରେ ପୁଣି ବାଘ ଆତଙ୍କ: ବଳଦ ଓ ବାଛୁରୀଙ୍କୁ ମାରି ଖାଇଲା

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ଅନ୍ତର୍ଗତ ବେଲରଦନା ଗାଁରେ ବାଘ ଆତଙ୍କ ଦେଖା ଦେଇଛି। ଗତକାଲି ରାତିରେ କଲରା ପତରିଆ ବାଘ ଗୁହାଳରୁ ବଳଦକୁ ଟାଣି ନେଇ ଖାଇଛି।
ଗତକାଲି ରାତିରେ ବେଲରଦନା ଗାଁର ଅର୍ଜୁନ ଧରୁଆଙ୍କ ବଳଦକୁ ଗୁହାଳରେ ବାନ୍ଧି ରଖିଥିଲେ। ଆଜି ସକାଳୁ ଉଠି ଦେଖିବା ବେଳେ ବଳଦ ଗୁହାଳରେ ନଥିଲା। ପରିବାର ଲୋକେ ଖୋଜାଖୋଜି କରିବାରୁ ଗାଁ ନିକଟ ବଙ୍ଗାଘାଟି ଜଙ୍ଗଲରେ ବଳଦର ମୃତଦେହ ପଡ଼ିଥିଲା। ପାରିପାର୍ଶ୍ବିକ ସ୍ଥିତିରୁ ବଳଦକୁ ବାଘ ଶିକାର କରିଥିବା ଗାଁ ଲୋକେ ଅନୁମାନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ନଥିବା ଗାଁ ଲୋକେ କହିଛନ୍ତି।
ଏଣେ ବୋଡ଼େନ ବ୍ଲକର ସିରିଲି ଗାଁରେ ଦୁଇଟି ବାଛୁରୀକୁ ବାଘ ମାରି ଖାଇ ଦେଇଥିବାର ବି ଖବର ମିଳିଛି।
ଉଲ୍ଲେଖଯୋଗ୍ୟ, ଗତ ମାସ ୧୯ରୁ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ଉକ୍ତ କଲରାପତରିଆଟି ଆତଙ୍କ ଜାରି ରଖିଛି। ଗତ ୧୯ ତାରିଖ ଜଳମଡ଼େଇ ଗାଁର ଜଣେ ବୃଦ୍ଧା ସନମତି ବାରିକଙ୍କୁ ମାରି ଖାଇଦେଇଥିଲା। ସେହି ଦିନଠାରୁ ସୁନାବେଡ଼ା ଅଭୟାରଣ୍ୟରେ ବାଘ ଭୟରେ ବନବାସୀ ଦିନ କାଟୁଛନ୍ତି। ଉକ୍ତ କଲରାପତରିଆଟି ବୁଧବାର ଜଳମଡ଼େଇ ଗାଁରେ ଏକ ବଳଦକୁ ମାରି ଖାଇଥିଲା।
ବିଭାଗୀୟ କର୍ମଚାରୀ ଘଟଣାସ୍ଥଳକୁ ଯାଇ ୧୫ଟି ଟ୍ରାପ୍ କ୍ୟାମେରା ଲଗାଇଥିଲେ। ତେବେ କ୍ୟାମେରାରେ ଭୋର୍ରେ କଲରାପତରିଆଟି ବୁଲୁଥିବାର ଦୃଶ୍ୟ କଏଦ୍ ହୋଇଛି। ଅନ୍ୟପକ୍ଷରେ ନୂଆପଡ଼ା ଜିଲ୍ଲାରେ ଏକ ମାସ ଭିତରେ ଜଣେ ମଣିଷ ଓ ୧୫ଟି ଗୃହପାଳିତ ପ୍ରାଣୀଙ୍କୁ ବାଘ ମାରିଥିବା ବେଳେ ଜିଲ୍ଲାରେ ଦିନକୁ ଦିନ ବାଘ ଆତଙ୍କ ବୃଦ୍ଧିପାଉଛି।

ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ଅନ୍ତର୍ଗତ ଜନବସତି ଅଞ୍ଚଳରେ ଆତଙ୍କ ଖେଳାଇଥିବା ମଣିଷଖିଆ ବାଘଟି କଲରାପତରିଆ କି ମହାବଳ ବାଘ ତାକୁ ନେଇ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବ ଦୂର ହୋଇଛି। ଶେଷରେ ଏହା କଲରାପତରିଆ ବୋଲି ଜଣାପଡ଼ିଛି। ଏହା ଟ୍ରାପ୍‌ କ୍ୟାମେରାରେ ଠାବ ହୋଇଛି।

ସମ୍ବନ୍ଧିତ ଖବର