ନୂଆପଡା: ପୋଲିସ ଓ ଛତିଶଗଡ ବନବିଭାଗର ମିଳିତ ଚଢାଉରେ ବାଘଛାଲ ଜବତ

ନୂଆପଡା: ନୂଆପଡା ଜିଲ୍ଲା ସୀମାନ୍ତ ଛତିଶଗଡର ଇନ୍ଦାଗାଁ ନିକଟରେ ଛତିଶଗଡ ପୁଲିସ ଓ ଛତିଶଗଡ ବନବିଭାଗ ମିଳିତ ଚଢାଉ କରି ଏକ କଲରାପତରିଆ ବାଘଛାଲ ଜବତ କରିଛନ୍ତି। ଏହି ମାମଲାରେ ସଂପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣକ ନୂଆପଡା ଜିଲ୍ଲା ସିନାପାଲି ଥାନା ନଙ୍ଗଲବୋଡ ଗାଁର ସଞୟ ବାଗ ବୋଲି ଜଣାପଡିଛି ।

ବିଶେଷ ସୂତ୍ରରୁ ସୂଚନା ପାଇ ଛତିଶଗଡ ବନ ବିଭାଗ ଓ ପୁଲିସ ବିଭାଗ ଓଡିଶା ସୀମାନ୍ତ ତାଲାକୋଟ୍ ରାସ୍ତାର ଧୋବେନାଳ ପାଖରେ ରହିଥିଲେ । ସେଠାରେ ଗ୍ରାହକକୁ ଅପେକ୍ଷା କରି ରହି ଥିବା ସଞୟ ବାଗକୁ ଧରିବାରେ ସମର୍ଥ ହୋଇଥିଲେ। ତାଙ୍କ ପାଖରେ ଥିବା ଧଳା ବ୍ୟାଗରେ କଳରାପତରିଆ ବାଘର ଛାଲ ଥିବା ଜଣା ପଡିଥିଲା । ତାଙ୍କୁ ଗିରଫ କରାଯାଇ ବନ୍ୟ ପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ ରୁଜୁ କରି ବନ ବିଭାଗକୁ ହସ୍ତାନ୍ତର କରାଯାଇଛି ।

ଜବତ ବାଘଛାଲ ଓଡିଶାର କି ଛତିଶଗଡ ଜଙ୍ଗଲର ତାହା ଜଣା ପଡିନାହିଁ । ଏ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଗରିଆବନ୍ଧ ଏସପି ଭୋଜରାମ ପଟେଲ ଜଣାଇଛନ୍ତି । କିଛିଦିନ ତଳେ ସେହି ମୈନପୁର ଅଞ୍ଚଳରୁ ଚୋରା ଚଳାଣ ବେଳେ ଏକ ବଜ୍ରକାପ୍ତା ଜବତ କରି ଜଣକୁ ଗିରଫ କରିଥିଲା ଛତିଶଗଡ ପୁଲିସ ।

ସମ୍ବନ୍ଧିତ ଖବର