ଅଧା ରହିଲା ଘରବାହୁଡ଼ା, ଚାଲିଚାଲି ଗାଁକୁ ଫେରୁଥିବା ବେଳେ ଟ୍ରକ୍ ଧକ୍କାରେ ପ୍ରାଣ ହରାଇଲେ ଦୁଇ ପ୍ରବାସୀ ଓଡ଼ିଆ ଶ୍ରମିକ

ନୂଆପଡ଼ା: ସାରା ଦେଶ ଏବେ କରୋନା ସହ ଲଢ଼ୁଥିବା ବେଳେ ଓଡ଼ିଶାର ଦୁଇ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ସକାଳେ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଥିବା ମହାସମୁନ୍ଦ ନିକଟରେ ୪ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ଚାଲିଚାଲି ନିଜ ଗାଁକୁ ଫେରୁଥିବା ବେଳେ ଏକ ଟ୍ରକ୍ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା।

ଏଥିରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଛତିଶଗଡ଼ର ସ୍ଥାନୀୟ ପ୍ରଶାସନ  ଆମ୍ବୁଲାନ୍ସ ଯୋଗେ ନିଜ ଗାଁ କଳାହାଣ୍ଡି ଜିଲ୍ଲାର କେଗାଁ ଥାନା ଅନ୍ତର୍ଗତ କୋହରା ଗାଁକୁ ପଠାଇଛି। ଦୁଇ ମୃତକ ହେଲେ ବୈଷ୍ଣବ ପଟେଲ (୨୫) ଓ ଉପେନ୍ଦ୍ର ପଟେଲ (୩୫)।

ଓଡ଼ିଶାର ଏହି ପ୍ରବାସୀ ଶ୍ରମିକମାନେ ବେଶ କିଛି ଦିନ ହେବ ମୁମ୍ବାଇରେ କାମ କରୁଥିଲେ । ସେମାନେ ତାଲାବନ୍ଦ ହେତୁ ସେଠାରୁ ଆସିପାରୁ ନ ଥିଲେ। ଅବଶେଷରେ ସେମାନେ ଗତ ୫ ଦିନ ତଳେ ମୁମ୍ବାଇରୁ କଳାହାଣ୍ଡି ଜିଲ୍ଲାର କେଗାଁ ଥାନା ଅନ୍ତର୍ଗତ କୋହରା ଗାଁ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର