ଅଣ୍ଟା ଭିଡ଼ିଲେ ଆଦିବାସୀ, ଜଙ୍ଗଲ ଅଧିକାର ନଦେଲେ ହେବ ଆନ୍ଦୋଳନ 

ସିନାପାଲି: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅଧିନସ୍ଥ ନଙ୍ଗଲବୋଡ, ଘାଟମାଲ, ନୁଆମାଲପଡା ପଞ୍ଚାୟତର ଶତାଧିକ ଆଦିବାସୀ ନଂଗଲବୋଡ ଠାରେ ରୁଣ୍ଡ ହୋଇ ଆଦିବାସୀଙ୍କ ଜଙ୍ଗଲ ଅଧିକାର ଆଇନ ୨୦୦୬ ରେ ଥିବା ” ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ” ଗ୍ରାମ ମାନଙ୍କୁ ନଦେଲେ ବନ ବିଭାଗ ବିରୋଧରେ ଘୋର ଆନ୍ଦୋଳନ ହେବ ବୋଲି ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ନେଲା ପରେ  ସମସ୍ତ ଆନ୍ଦୋଳନକାରୀ ନଙ୍ଗଲବୋଡ ସ୍ଥିତ ଫରେଷ୍ଟର ଅଫିସକୁ ଆସି ଘେରାଉ କରିଥିଲେ । କିନ୍ତୁ ଫରେଷ୍ଟର ନଥିବାରୁ ଫେରି ଆସିଥିଲେ । ଆସନ୍ତାକାଲି ପୁଣି ଫରେଷ୍ଟର ଅଫିସ ଆସି ଫରେଷ୍ଟରଙ୍କୁ ସାକ୍ଷାତକରି ନିଜର ଦାବି ଜଣାଇବେ ବୋଲି ଆନ୍ଦୋଳନକାରୀ କହିଛନ୍ତି ।

ଦେଶରେ ଆଦିବାସୀଙ୍କ ପାଇଁ ଜଙ୍ଗଲ ଅଧିକାର ଆଇନ ୨୦୦୬ କାର୍ଯ୍ୟକାରୀ ହେଉଛି । ଏଥିରେ ବ୍ୟକ୍ତିଗତ ଜଙ୍ଗଲ ଜମିରେ ଚାଷ କରିବାର ଅଧିକାର, ଗାଁର ସାମୁହିକ ବିକାଶ କାମ ପାଇଁ ଜମି ଅଧିକାର ଏବଂ ଗୋଷ୍ଠୀ ଜଙ୍ଗଲ ସମ୍ବଲ ଅଧିକାର ଗ୍ରାମବାସୀଙ୍କୁ ଦେବାର ବ୍ୟବସ୍ଥା ରହିଛି । ହେଲେ ବ୍ୟକ୍ତିଗତ ଚାଷ ଜମିର ଏବଂ ଗାଁର ସାମୁହିକ ବିକାଶ ପାଇଁ ଅଧିକାର ଦେଉଥିବା ବେଳେ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ଦେବାରେ ବନ ବିଭାଗ ଟାଳଟୁଳ ନୀତି କରି ଆସୁଛି । ଲୋକେ ଏହି ଅଧିକାର ପାଇଁ ମ୍ୟାପ୍ ଓ ଏହାର କାଗଜପତ୍ର ପ୍ରସ୍ତୁତ କରି ସାରିଥିଲେ ବି ଏଥିରେ ସ୍ଥାନୀୟ ଫରେଷ୍ଟର ଓ ରେଞ୍ଜର ଦସ୍ତଖତ କରୁନଥିବାରୁ ଲୋକେ ଏ ଅଧିକାର ପାଇବାରୁ ଦୀର୍ଘବର୍ଷ ହେବ ବଞ୍ଚିତ ହୋଇଛନ୍ତି । ବନ ବିଭାଗ ମ୍ୟାପ୍ ଏବଂ ଗ୍ରାମବାସୀଂକ କାଗଜପତ୍ରରେ ଦସ୍ତଖତ ନକଲେ ବନ କର୍ମଚାରୀଂକୁ ଅଞ୍ଚଳକୁ ପୁରାଇ ଦେବେ ନାହିଁ ବୋଲି ଆନ୍ଦୋଳନ କାରି କହିଛନ୍ତି । ପୁଣି ହେବାକୁ ଥିବା ଗଛ ରୋପଣକୁ ମଧ୍ୟ ବିରୋଧ କରାଯିବ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର