କାଳ ବୈଶାଖୀର ତାଣ୍ଡବ: ନିରାଶ ହେଲେ ତରଭୁଜ ଚାଷୀ

ନୂଆପଡ଼ା: କାଳବୈଶାଖୀର ଅଦିନିଆ ବର୍ଷା ଆସିଲା, ଆଉ ଚାଲିଗଲା । କିନ୍ତୁ ନୂଆପଡା ଜିଲ୍ଲାର ତରଭୁଜ ଚାଷୀଙ୍କ ମୁହଁର ହସ ଛଡାଇ ନେଲା । ଏବେ ତରବୁଜ ଚାଷୀ ନିରାଶ ହୋଇ ପଡିଛନ୍ତି।
ନୂଆପଡା ଜିଲ୍ଲା କୋମନା ବ୍ଲକ ନୂଆଗାଁ ଓ ବୁଦ୍ଧିକୋମନା ଅଞ୍ଚଳର ଚାଷୀ ଚଳିତ ବର୍ଷ ତରଭୁଜ ଚାଷ କରି ଥିଲେ । ଲକ୍ ଡାଉନ ଓ ସଟଡାଉନର ଏ କରୋନା କାଳରେ ଧାର ଉଧାର କରି ତରଭୁଜ ଚାଷ କରିଥିଲେ । ଆଶା କରି ଥିଲେ, ତରଭୁଜ ବିକି ଧାର ଉଧାର ଶୁଝିବେ, ପରିବାର ଚଳାଇବେ । ତରଭୁଜ ବି ଭଲ ହୋଇଥିଲା । ଅମଳଯୋଗ୍ୟ ବି ହୋଇ ଯାଇଥିଲା। କିନ୍ତୁ କିଛି ଦିନ ତଳେ କାଳ ବୈଶାଖୀ ବର୍ଷା ସହ କୁଆପଥର ମାଡ ହୋଇ ଥିଲା । କୁଆପଥର ମାଡରେ ତରଭୁଜ ସବୁ ଫାଟି ଯାଇ ଥିବା ବେଳେ ୩ ଦିନ ତରଭୁଜ କାଳ ବୈଶାଖୀର ପାଣିରେ ବୁଡି ରହି ଯାଇଥିବାରୁ ତରଭୁଜ ସବୁ ଷଢି ପଚିଯାଇଛି । ଯାହା ଖାଇ ହେବ ନି କି ବିକି ବି ହେବନି ।
ବୁଦ୍ଧିକୋମନା ଗାଁର ଚାଷୀ ଶଙ୍କର ଶବର ତାଙ୍କ ଏକ ହେକ୍ଟର ଜମିରେ ୬୦ ହଜାର ଟଙ୍କା ଖର୍ଚ୍ଚ କରି ତରଭୁଜ ଚାଷ କରି ଥିଲେ । ଆଶା କରିଥିଲେ ୩ ଲକ୍ଷ ଟଙ୍କାର ଲାଭ ପାଇବେ । ସେହିପରି ନୂଆଗାଁ ଗ୍ରାମର ତୁଲାରାମ ଭୋଇ ନିଜ ଦେଢ ଏକର ଜମିରେ ୫୦ ହଜାର ଖର୍ଚ୍ଚ କରି ୧ଲକ୍ଷ ୫୦ ହଜାର ଟଙ୍କା ଲାଭ ପାଇବାର ଆଶା ରଖିଥିଲେ। କିନ୍ତୁ କାଳ ବୈଶାଖୀର ଅଦିନିଆ ବର୍ଷା ନିରାଶ କରି ଦେଲା । ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ଚାଷୀ।

ସମ୍ବନ୍ଧିତ ଖବର