ମହିଳାଙ୍କ ମୃତ୍ୟୁ, ସ୍ୱାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏନଏସିରେ ଗୁରୁବାର ମୁନ୍ନୀ ବିବି ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ସ୍ୱାମୀ ମହମ୍ମଦ ଏହେସାନ ମଲିକ ତାଙ୍କୁ ହତ୍ୟା କରିଥିବା ନେଇ ମହିଳାଙ୍କ ଭାଇ ଶେଖ ଇବ୍ରାହିମ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ, ସ୍ଥାନୀୟ ଆଶୀର୍ବାଦ କପଡ଼ା ଦୋକାନ ଓ ଆଶୀର୍ବାଦ କମ୍ପ୍ୟୁଟରର ମାଲିକ ମହମ୍ମଦ ଏହେସାନ ତାଙ୍କ ସ୍ତ୍ରୀ ମୁନ୍ନୀ ବିବି ଓ ପିଲାଛୁଆ ସହ ଖଡ଼ିଆଳ ସହର ୱାର୍ଡ ନମ୍ବର ୨ରେ ରହୁଥିଲେ।

ହଠାତ୍‌ ଗୁରୁବାର ମୁନ୍ନୀଙ୍କ ମୃତ୍ୟୁ ଘଟିଥିଲା। ଏହେସାନ ତାଙ୍କ ଶ୍ୱଶୁର ଘରକୁ ନ ଜଣାଇ ଶବ ସତ୍କାର କରିବାକୁ ଉଦ୍ୟମ କରିଥିଲେ। କୌଣସି ସୂତ୍ରରୁ ଶେଖ ଇବ୍ରାହିମ ଜାଣିପାରି ମୁନ୍ନୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ଶବ ସତ୍କାର ଅଟକାଇବାକୁ ଖଡ଼ିଆଳ ଆଇଆଇସିଙ୍କୁ ଅନୁରୋଧ କରିଥିଲେ। ଖଡ଼ିଆଳ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଖଡ଼ିଆଳ ଥାନା କେସ୍‌ ନଂ ୨୭୭/୧୭ରେ ମାମଲା ରୁଜୁ ହୋଇଛି। ଏହେସାନଙ୍କ ଅନ୍ୟ ଜଣେ ମହିଳାଙ୍କ ସହ ଅନୈତିକ ସଂପର୍କ ଥିବାରୁ ମୁନ୍ନୀଙ୍କୁ ସେ ହତ୍ୟା କରିଥିବା ମୁନ୍ନୀଙ୍କ ଭାଇ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ଏହେସାନଙ୍କୁ ପଚାରିବାରୁ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି। ଅପରପକ୍ଷେ ଘଟଣାର ତଦନ୍ତ ପରେ ସତ୍ୟତା ଜଣାପଡ଼ିବ ବୋଲି ଇନ୍‌ସପେକ୍ଟର ପୁଷ୍ପାଞ୍ଜଳି ପ୍ରଧାନ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର