ବେଆଇନ ମଦ ବିକ୍ରି ବନ୍ଦ ଦାବିରେ ମହିଳାଙ୍କ ରାସ୍ତାରୋକ

ନୂଆପଡ଼ା: ବେଆଇନ ମଦ ବିକ୍ରିକୁ ବିରୋଧ କରି ଶତାଧିକ ମହିଳା ରାସ୍ତା ଅବରୋଧ କରିଥିବା ଜଣାଯାଇଛି। ନୂଆପଡ଼ାର ଗଡ଼ତୋର ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ବେଆଇନ ମଦ ବିକ୍ରି ଯୋଗୁ ଗାଁରେ ଛୋଟ ଛୋଟ ପିଲା ମଧ୍ୟ ନିଶାରେ ଅଭ୍ୟସ୍ତ ହେଉଛନ୍ତି। ବାରମ୍ବାର ଅବକାରୀ ବିଭାଗକୁ ଏ ବାବଦରେ ଜଣାଇଲେ ବି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି ଗାଁର ମହିଳାମାନେ। ଘଟଣାସ୍ଥଳରେ ବର୍ତ୍ତମାନ ପୁଲିସ ପହଞ୍ଚି ମହିଳାମାନଙ୍କ ସହିତ ଆଲୋଚନା କରୁଛି। ଅବକାରୀ ବିଭାଗ ଆନ୍ଦୋଳନକାରୀମାନଙ୍କୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

ସୂଚନାଯୋଗ୍ୟ, ସ୍ଥାନୀୟ ଗଡ଼ତୋର ଗାଁରେ ବହୁଦିନ ହେଲା ବେଆଇନ ଭାବେ ମଦ ବିକ୍ରି ହୋଇ ଆସୁଥିଲା। ଏହାକୁ ବିରୋଧ କରି ଗାଁର ଏସଏଚଜି ମହିଳା ପୁଲିସ, ଅବକାରୀ ତଥା ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ପ୍ରଶାସନ ତରଫରୁ ବେଆଇନ ମଦ ବିକ୍ରି ରୋକିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ଗାଁର ଯୁବକମାନେ ମଦ ପିଇ ଆତ୍ମହତ୍ୟା କରିବା ଭଳି ଚରମ ପଦକ୍ଷେପ ଗ୍ରହଣ କରୁଛନ୍ତି।

ଆଜି ଗାଁର ଏସଏଚଜି ମହିଳାମାନେ ଏକ ବେଆଇନ ମଦ କୋଠୀକୁ ବନ୍ଦ କରିବାକୁ ଯାଇଥିଲେ। ସେଠାରେ ଘରେ ଚୋରି କରୁଥିବା ମହିଳାଙ୍କୁ ଆକ୍ଷେପ କରିଥିଲେ ମଦ ବ୍ୟବସାୟୀ। ଏଥିରେ ମହିଳାମାନେ ଉତ୍ୟକ୍ତ ହୋଇ ଥାନାର ଦ୍ବାରସ୍ଥ ହେବାକୁ ଯାଉଥିଲେ। ପରେ ଗଡ଼ତୋର ଓ ଶାଖାତର ଗାଁ ମଝିରେ ଉଭୟ ଗାଁର ମହିଳା ମାନେ ନୂଆପଡା-ପତୋରା ରାସ୍ତାକୁ ଅବରୋଧ କରିଥିଲେ।

ସମ୍ବନ୍ଧିତ ଖବର