ନୂଆପଡ଼ା,: ଗ୍ରାମପଂଚାୟତରୁ କିଛି ଜରୁରି ତଥ୍ୟ ସୂଚନା ଅଧିକାର ଆଇନ ବଳରେ ଜଣେ ୱାର୍ଡସଭ୍ୟ ମାଗିଥିଲେ। ତାଙ୍କୁ ପ୍ରତ୍ୟାହାର କରିବାକୁ ଧମକ ଦିଆଗଲା। ଏପରିକି ନିରୁତ୍ସାହିତ କରିବା ପାଇଁ ତଥ୍ୟ ବାବଦ ଖର୍ଚ୍ଚ ୩୧ ହଜାର ଟଙ୍କା ଜମା କରିବାକୁ କୁହାଗଲା। ଏଥିପାଇଁ ସେ ତାଙ୍କ ଜମି ବନ୍ଧା ପକାଇ ଟଙ୍କା ଜମା କରିଥିଲେ। ତଥାପି ତାଙ୍କୁ ତଥ୍ୟ ତ ମିଳିଲା ନାହିଁ। ଅନ୍ୟପକ୍ଷରେ ତାଙ୍କୁ ଜୀବନରେ ମାରି ଦେବାର ଧମକ ଦେବା ଭଳି ଏକ ଅଭିଯୋଗ ଆସିଥିଲା। ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଶେଷରେ ସଭ୍ୟ ଜଣକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଏଭଳି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ତରବୋଡ଼ ଗ୍ରାମ ପଂଚାୟତରେ।
ଏହି ଗ୍ରାମପଂଚାୟତ ଧରମପୁର ଗାଁର ଓ୍ଵାର୍ଡ ସଭ୍ୟ ମାଧବ ମାଝୀ ମନରେଗା କାମକୁ ନେଇ କିଛି ତଥ୍ୟ ଜାଣିବାକୁ ଗ୍ରାମପଂଚାୟତରେ ଆବେଦନ କରିଥିଲେ। ହେଲେ ସୂଚନା ଦେବା ବଦଳରେ ସରପଂଚ ନିଜ ସହଯୋଗୀଙ୍କ ସହ ମିଶି ୱାର୍ଡ ସଭ୍ୟଙ୍କୁ ଧମକ ଦେବା ସହ ତାଙ୍କ ସହେଯାଗୀଙ୍କୁ ମାରପିଟ କରିଥିଲେ। ଏହାକୁ ନେଇ ସେମାନେ କୋମନା ଥାନାର ଦ୍ୱାରସ୍ଥ ହୋଇଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଅନ୍ୟ ଉପାୟ ନପାଇ ଶୁକ୍ରବାର ଦିନ ୧୦ଟାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ଆସି ଧାରଣା ଦେଇଛନ୍ତି। ମଧ୍ୟାହ୍ନରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଘାସିରାମ ମାଝୀ, ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ରବୀନ୍ଦ୍ର ମଙ୍ଗରାଜ ତାଙ୍କକୁ ସମର୍ଥନ ଜଣାଇଛନ୍ତି। ସେମାନଙ୍କୁ ନ୍ୟାୟ ନ ମିଳିବା ଯାଏଁ ଏହି ଧାରଣା ଜାରି ରଖିବେ ବୋଲି ଅଡ଼ି ବସିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/nuapada17.jpg)