ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଲଖନା ଥାନା ଲଖନା ଗାଁରେ ଜଣେ ଯୁବକଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ମିଳିଛି। ମୃତକ ଯୁବକ  ଲଖନା ଗାଁର ପ୍ରୀତମ ତିଓ୍ବାରୀ (୨୫) ବୋଲି ଜଣାପଡ଼ିଛି।

Advertisment

ଗତ ୩ ଦିନ ତଳେ ଲଖନା ଗାଁର ପ୍ରକାଶ ତିୱାରୀଙ୍କ ପୁଅ ପ୍ରୀତମ ଘରୁ ବାହାରିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରୀତମ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ବି ପ୍ରୀତମଙ୍କ କୌଣସି ପତ୍ତା ମିଳିନଥିଲା। ଗତକାଲି ଲଖନା ଲକ୍ଷ୍ମୀସାଗର ପୋଖରୀ ହିଡ଼ରେ ପ୍ରୀତମଙ୍କ ବାଇକ, ପ୍ୟାଣ୍ଟ ସାର୍ଟ ଓ ଚପଲ ପଡ଼ିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ଏହାକୁ ନେଇ ପରିବାର ଲୋକେ ଲଖନା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ଆଜି ଲକ୍ଷ୍ମୀସାଗର ପୋଖରୀରେ ପ୍ରୀତମଙ୍କ ମୃତଦେହ ଭାସୁଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ଏବେ ପୋଖରୀ ହିଡ଼ ଉପରେ ଆଖପାଖ ଗାଁଲୋକଙ୍କ ଭିଡ଼ ଜମିଛି। ଏହି ଖବର ପାଇ ଲଖନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିବା ଜଣାପଡ଼ିଛି। ବର୍ତ୍ତମାନ ମୃତଦେହକୁ ପୋଖରୀରୁ ଉଦ୍ଧାର କରି ପୁଲିସ ଛାନଭିନ ଚଳାଇଛି। ତେବେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ଓ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ପୁଲିସ ସୂଚନା ଦେଇଛି।