ଚଳନ୍ତା ବସ୍‌ରୁ ପଡ଼ି ଯୁବକ ମୃତ:କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

କୋକସରା: କୋକସରା ବ୍ଲକ ଆମପାଣି ଥାନା କାଉଡ଼ୋଳା ଗାଁ ହାଇସ୍କୁଲ ନିକଟରେ ବୁଧବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ରୁ ପଡ଼ି କାଉଡ଼ୋଳା ଗାଁର ପ୍ରେମଲାଲ ନାଏକ (୪୦)ଙ୍କ ମୃତ୍ୟୁ ଘଟିଛି। ଏହା ଜଣାପଡ଼ିବା ପରେ କ୍ଷତିପୂରଣ ଦାବିରେ ପରିବାର ବର୍ଗ ଓ ଗ୍ରାମବାସୀ ୬ ଘଣ୍ଟା ଧରି ଜାତୀୟ ରାଜପଥର ମୋଟେର- ମହାଜନଗୁଡ଼ା ରାସ୍ତା ଅବରୋଧ କରିଥିଲେ।
କାଉଡ଼ୋଳା ଗାଁର ପ୍ରେମଲାଲ ଆମାପାଣି ଷ୍ଟେଟ୍‌ବ୍ୟାଙ୍କରୁ ଟଙ୍କା ଉଠାଇ ଦାମନଯୋଡ଼ିରୁ ବଲାଙ୍ଗୀର ଯାଉଥିବା ଏକ ସରକାରୀ ଯାତ୍ରୀବାହୀ ବସ୍‌ (ଓଡି ୦୨ ଏଚ୍‌ ୨୧୬୭)ରେ ନିଜ ଗାଁକୁ ଫେରୁଥିଲେ। ଗାଁ ହାଇସ୍କୁଲ ନିକଟରେ ସେ ବସ୍‌ରୁ ଓହ୍ଲାଉଥିବା ବେଳେ ପଡ଼ି ଯାଇଥିଲେ। ବସ୍‌ଟି ତାଙ୍କ ମୁଣ୍ଡରେ ଚାଲି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପରିବାର ବର୍ଗ ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଆମପାଣି ପୁଲିସ ସହ କୋକସରା ଥାନା ଅଧିକାରୀ ଉତ୍ତମ ସାହୁ, କୋକସରା ଅତିରିକ୍ତ ତହସିଳଦାର ସୀମାଞ୍ଚଳ ପାତ୍ର ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଳୋଚନା କରିଥିଲେ। ଗାଡ଼ି ଚାଳକ ୨୫ ହଜାର ଟଙ୍କା ନଗଦ ଆକାରରେ ପ୍ରଦାନ ସହ କୋକସରା ଅତିରିକ୍ତ ତହସିଲଦାର ମୃତକଙ୍କ ପରିବାରକୁ ୦.୪ ଡିସମିଲ ଘରଡିହ ଦେବା ଓ ରହିବା ପାଇଁ ବିଜୁ ପକ୍କାଘର ଦେବାକୁ ଯୋଗାଇ ଦେବା ସହ ରେଡକ୍ରସ ପାଣ୍ଟିରୁ ୧୦ ହଜାର ଓ ହରିଶ୍ଚନ୍ଦ୍ର ଯୋଜନାର ୨ହଜାର ଟଙ୍କା ଦେବା ପାଇଁ ପ୍ରତିଶ୍ରୃତି ଦେବା ପରେ ରାସ୍ତାରୋକ ହଟିଥିଲା। ସଂଧ୍ୟାରେ ଶବ ବ୍ୟବଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଯାଇଥିଲା। ଗୁରୁବାର ଶବ ବ୍ୟବଛେଦ କରାଯିବ ବୋଲି ସୂଚନା ମିଳିଛି। ଦୁର୍ଘଟଣା ପରେ ବସ୍‌ ସହ ଡ୍ରାଇଭରଙ୍କୁ କୋକସରା ଥାନାରେ ଅଟକ ରଖାଯାଇଥିବା କୋକସରା ଥାନା ଅଧିକାରୀ ଉତ୍ତମ ସାହୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର