ପଶ୍ଚିମ ଓଡିଶାରେ ନୂଆପଡା ସବୁଠାରୁ ଗରିବ ଜିଲ୍ଲା: ସିଇଓ ଡବ୍ଲ୍ୟୁଡିସି

କଳାହାଣ୍ଡି କେବେ ମଧ୍ୟ ଭୋକର ଭୂଗୋଳ ନୁହେଁ: ଜଗଦୀଶ ପ୍ରଧାନ

ଭବାନୀପାଟଣା: ପଶ୍ଚିମ ଓଡିଶାରେ କଳାହାଣ୍ଡି ଦ୍ବିତୀୟ ଗରିବ ଜିଲ୍ଲା। ୨୦୧୮ ମସିହା ଗ୍ଲୋବାଲ ମଲ୍ଟି ଇଣ୍ଡେକ୍ସ ଅନୁଯାଇ ପଶ୍ଚିମ ଓଡିଶାରେ ନୂଆପଡା ସବୁଠାରୁ ଗରିବ ଜିଲ୍ଲା ଅଟେ । ସେହିଭଳି ପଶ୍ଚିମ ଓଡିଶାରେ ଇଣ୍ଡେକ୍ସ ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଦ୍ବିତୀୟ, ବଲାଙ୍ଗିର ତୃତୀୟ ଓ ବୈାଦ୍ଧ ଚତୁର୍ଥ ଗରିବ ଜିଲ୍ଲା ଅଟେ । ଧାନର ବିକଳ୍ପ ଚାଷ କରାଗଲେ ଏହି ଜିଲ୍ଲାମାନଙ୍କରେ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ବୋଲି ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ଅଜିତ କୁମାର ମିଶ୍ର ସମାଚାର ଜଷ୍ଟ କ୍ଲିକ ପକ୍ଷରୁ ଆୟୋଜିତ ୱେବିନାର ଚାଲ ଦେଖମା ଆମର କଳାହାଣ୍ଡିର ୧୧ତମ ସଂସ୍କରଣରେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଡ. ଅଜିତ କୁମାର ମିଶ୍ର ପଶ୍ଚିମ ଓଡିଶାର ଗ୍ଲୋବାଲ ମଲ୍ଟି ଇଣ୍ଡେକ୍ସ ଉପରେ ଆଲୋଚନା କରିଥିଲେ । ପାଇପ ଜଳ ଯୋଗାଣରେ ରାଜ୍ୟହାର ୩୨% ଥିବାବେଳେ କଳାହାଣ୍ଡି ହାର ୨୦% ଅଟେ । ବିଦ୍ୟୁତ ସଂଯୋଗିକରଣରେ ରାଜ୍ୟ ହାର ୯୮% ଥିବାବେଳେ କଳାହାଣ୍ଡି ଜିଲ୍ଲା ହାର ୯୬% ଅଟେ । ବିଦ୍ୟାଳୟରେ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ହାର ରାଜ୍ୟରେ ୨୩% ଥିବାବେଳେ କଳାହାଣ୍ଡି ଏହା ୩୩%, ଆଇସିଟିରେ ରାଜ୍ୟହାର ୫୨%, କଳାହାଣ୍ଡି ହାର ୪୭%, ଜନ୍ମହାର ହ୍ରାସ ରାଜ୍ୟରେ ୧୮% ଥିବାବେଳେ କଳାହାଣ୍ଡିରେ ୨୧%, ଶିଶୁମାନଙ୍କ କମ ଓଜନ ହାର ରାଜ୍ୟରେ ୩୪% ଥିବାବେଳେ କଳାହାଣ୍ଡିରେ ୪୦%, ୱେଲନେସ ଏନଆରସି ରାଜ୍ୟହାର ୭୨% ଓ କଳାହାଣ୍ଡି ହାର ୫୨%, ଭିତ୍ତିଭୂମି ରାଜ୍ୟହାର ୩୭% ଓ କଳାହାଣ୍ଡି ହାର ୭୦% ଅଟେ । ଦାରିଦ୍ରୢତାରେ ଓଡିଶା ହାର ୩୫.୮% ଥିବାବେଳେ କଳାହାଣ୍ଡି ଜିଲ୍ଲା ହାର ୫୨% ଅଟେ । ତେଣୁ ସମସ୍ତ ଦିଗରେ କଳାହାଣ୍ଡିର ବିକାଶ କରାଗଲେ ଇଣ୍ଡେକ୍ସ ହାରରେ ପରିବର୍ତ୍ତନ ହୋଇପାରିବ । ଧାନ ଚାଷର ବିକଳ୍ପ ଚାଷ କରିବା, କଳାହାଣ୍ଡିରେ ପିଜୁଳି ଚାଷ ଓ ଅଦା ଚାଷର ପ୍ରୋତ୍ସାହନ କରାଯାଇ ପ୍ୟାକେଜ ଓ ବ୍ରାଣ୍ଡିଙ୍ଗ ପାଇଁ ଉଦ୍ୟମ ହେବା ଆବଶ୍ୟକ ।

ଇ-ନାମ ମାର୍କେଟ ମାଧ୍ୟମରେ ଆରଏମସି ଜରିଆରେ ଚାଷୀ ପଞ୍ଜିକୃତ କରି ଉତ୍ପାଦିତ ଦ୍ରବ୍ୟ ବିପଣନ କରାଯାଇପାରିବ । ହରିଡା, ବାହାଡା, ଅଁଅଳା ପ୍ରଭୃତି ଲଘୁ ବନଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଲୋକେ ପାଇପାରୁନାହାଁନ୍ତି । ଏମଏସଏମଇ ପାର୍କ ପାଇଁ କେବଳ ଜାଗା ଚିହ୍ନଟ କରି ପାଚେରୀ ଦେଲେ ଶିଳ୍ପର ବିକାଶ ହେବ ନାହିଁ । ବରଂ ଯୁବକମାନଙ୍କୁ ଉଦ୍ୟୋଗୀ ନିମନ୍ତେ ସାମିଲ କରିବା ଆବଶ୍ୟକତା ରହିଛି । ଇନ୍ଦ୍ରାବତୀ ଜଳ ଭଣ୍ଡାରରେ କେଚ କଲଚର ମାଧ୍ୟମରେ ମାଛ ଚାଷ କରାଯାଇପାରିବ । ଜିଲ୍ଲାର ବିକାଶ ନିମନ୍ତେ ସମନ୍ବୟର ଆବଶ୍ୟକତା ଓ ସାମୁହିକ ପ୍ରୟାସ ଆବଶ୍ୟକ ବୋଲି ଡ. ଅଜିତ କୁମାର ମିଶ୍ର କହିଥିଲେ ।

ଅନ୍ୟତମ ଅତିଥି ଭାବରେ ଜାତୀୟ କୃଷକ କମିଶନର ପୂର୍ବତନ ସଦସ୍ୟ ଜଗଦୀଶ ପ୍ରଧାନ କହିଥିଲେ ଯେ, କଳାହାଣ୍ଡି କେବେ ମଧ୍ୟ ଭୋକର ଭୂଗୋଳ ନଥିଲା । ୧୯୪୩ ମସିହାରୁ ୧୯୪୭ ମସିହା ପର୍ଯ୍ୟନ୍ତ ପ୍ରତିବର୍ଷ ୨ଲକ୍ଷ ମେଟ୍ରିକ ଟନ ଚାଉଳ ରାଜ୍ୟ ବାହାରକୁ ପଠା ଯାଉଥିଲା । ଜାତୀୟ ବର୍ଷାହାର ୧୩୭୮ ମି.ମି. ଥିବାବେଳେ କେବଳ ଥୁଆମୂଳ ରାମପୁର ବ୍ଲକରେ ୨୪୫୦ ମି.ମି. ବାର୍ଷିକ ହାରାହାରି ବୃଷ୍ଟିପାତ ରହିଛି । ଖାଦ୍ୟ ଶସ୍ୟରେ ଜାତୀୟ ହାର ୨୦୮‌ କେଜି, ଓଡିଶା ହାର ୨୪୮ କେଜି ଓ କଳାହାଣ୍ଡି ଜିଲ୍ଲାରେ ମୁଣ୍ଡପିଛା ହାର ୩୪୮ କେଜି ଅଟେ । ଗତ ୧୦ବର୍ଷରେ ଭାରତୀୟ ଖାଦ୍ୟ ନିଗମ ପକ୍ଷରୁ ୨୫% ଧାନ କେବଳ କଳାହାଣ୍ଡି, ସମ୍ବଲପୁର, କୋରାପୁଟ, ବଲାଙ୍ଗିର ଅବିଭକ୍ତ ଜିଲ୍ଲାରୁ ସଂଗ୍ରହ ହୋଇଥାଏ । ରାଜନୈତିକ ଉଦ୍ଦେଶ୍ୟ ଯୋଗୁଁ କଳାହାଣ୍ଡିକୁ ଭୋକର ‌ଭୂଗୋଳ କରାଯାଇଛି ।

କେବଳ ସରକାରୀ ପ୍ରୋତ୍ସାହନର ଅଭାବ, ପୁଞ୍ଜିର ଅଭାବ ଯୋଗୁଁ ମତ୍ସ୍ୟଚାଷ ପ୍ରତି ଗୁରୁତ୍ବ ଦିଆଯାଇପାରୁନାହିଁ । ସେହିଭଳି ଧାନର ବିକଳ୍ପ ଚାଷ ପାଇଁ ମଧ୍ୟ ପ୍ରୋତ୍ସାହନର ଆବଶ୍ୟକତା ରହିଛି ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବରେ ଆର୍ନ୍ତଜାତୀକ ପର୍ବତାରୋହୀ ଯୋଗବ୍ୟାସ ଭୋଇ ଯୋଗ ଦେଇ କଳାହାଣ୍ଡି ଜିଲ୍ଲାରେ ଆଦିବାସୀ ଅଞ୍ଚଳରେ ଟ୍ରାକିଂ ମାଧ୍ୟମରେ ଇତିହାସ ଓ ଭୈାଗଳିକ ସଚେତନତା କରାଯାଇପାରିବ । ଡୋକରୀଚଞ୍ଚରା ଭଳି ଅଞ୍ଚଳରେ ଟ୍ରାକିଂ ମାଧ୍ୟମରେ ହେରିଟେଜର  ସଚେତନ କରାଯାଇପାରିବ । ହିମାଚଳ ପ୍ରଦେଶ ଢ଼ାଞ୍ଚାରେ କଳାହାଣ୍ଡି ଜିଲ୍ଲାରେ ଆଡ଼ଭେଞ୍ଚର ଭେଷ୍ଟିଭାଲ ଆୟୋଜନ କରାଯାଇପାରିବ । ସ୍ପୋଟ୍ସ କ୍ଲାଇମିଂ ସ୍ଥାପନ ଦ୍ବାରା ବିଭିନ୍ନ ଖେଳ ପ୍ରତି କ୍ରିଡାବିତମାନଙ୍କୁ ଆଗ୍ରହ ସୃଷ୍ଟି କରାଯାଇପାରିବ ବୋଲି କହିଥିଲେ । ସମ୍ମାନୀତ ଅତିଥି ଗ୍ରିଡକୋର ପୂର୍ବତନ ଡିଜିଏମ ଦିଲ୍ଲିପ ରାଜ ବେହେରା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରଗତି ଗ୍ରୃପ ଅଫ ଇନଷ୍ଟିଚ୍ୟୁସନ ଏହି କାର୍ଯ୍ୟକ୍ରମର ନଲେଜ ପାର୍ଟନର ଥିଲେ । ଓଡିଶା ଲାଇବ୍ରେରୀ ‌ଏକାଡେମୀର ନିରଞ୍ଜନ ମହାପାତ୍ର ବୈଷୟିକ ସହାୟତା ଦେଇଥିବାବେଳେ ଦେବେନ୍ଦ୍ର କୁମାର ବିଶି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । କଣ୍ଠଶିଳ୍ପୀ ସୁନାମ ମୁନ୍ନା ଲୋକ ସଂଗୀତ ପରିବେଷଣ କରିଥିଲେ ।

ସମ୍ବନ୍ଧିତ ଖବର