ବିପଦରେ ନୂଆଶାସନ ଗ୍ରାମବାସୀ, କାଳ ସାଜିଛି ପୁଲିସ ବାବୁଙ୍କ ବନ୍ଧୁକ ଅଭ୍ୟାସ

ଖୁଣ୍ଟୁଣୀ: ପୁଲିସ ବାବୁଙ୍କ ବନ୍ଧୁକ ଚାଳନା ଅଭ୍ୟାସ ଏବେ ଗ୍ରାମବାସୀଙ୍କ ପାଇଁ କାଳ ହୋଇଛି। ମୁଣ୍ଡିଆ ଆରପଟୁ ପୁଲିସ ବନ୍ଧୁକରୁ ଆସୁଥିବା ଗୁଳି କେତେବେଳେ ଲୋକଙ୍କ ଦେହରେ ବାଜୁଛି ତ ‌କେତେବେଳେ ଗୃହପାଳିତ ପଶୁ ଆଉ ଘର ଉପରେ ବି ପଡୁଛି। କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ମହାନଦୀ କୂଳରେ ଥିବା ନୂଆଶାସନ ଗ୍ରାମରେ ଏଭଳି ଘଟଣା ଏବେ ଆତଙ୍କର କାରଣ ହୋଇଛି। ଗୁଳି ବାଜି ଗ୍ରାମବାସୀ ଓ ଗୃହପାଳିତ ପଶୁ ଆହତ ହେଉଛନ୍ତି। କିଛି ବର୍ଷ ପୂର୍ବେ ଏଭଳି ଘଟଣା କାଁଭାଁ ଘଟୁଥିବା ବେଳେ ଏବେ ଏହା ବଢିବାରେ ଲାଗିଛି। ପୁଲିସ ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନ ନେଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଗ୍ରାମର ପୂର୍ବ-ଦକ୍ଷିଣ ପାର୍ଶ୍ୱ ନରାଜ ସିଦ୍ଧେଶ୍ୱର ମୁଣ୍ଡିଆ ତଳେ ଥିବା ସିଆଇଏସ୍‌ଏଫ୍‌ ଫାୟାରିଂ ରେଞ୍ଜ ପଟୁ ଗୁଳି ଆସୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ ଗଲା ଦୁଇ ତିନି ବର୍ଷ ହେବା ନୂଆଶାସନ ଗ୍ରାମରେ ଏଭଳି କାଁଭାଁ ଗୁଳି ପଡ଼ୁଥିଲା। ସ୍ଥାନୀୟ ଲୋକେ ଏହାକୁ ବିଶେଷ ଗୁରୁତ୍ବ ଦେଉ ନ ଥିଲେ। ହେଲେ କିଛିମାସ ହେବ କ୍ରମାଗତ ଭାବେ ଗ୍ରାମର ବିଭିନ୍ନ ସ୍ଥାନରେ ଗୁଳି ପଡ଼ିବାରୁ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଗୁଳି ବାଜି ଗ୍ରାମର କେତେକ ଲୋକଙ୍କ ଆଜବେଷ୍ଟସ୍‌ କଣା ହୋଇଯାଇଥିବା ଦେଖିବାକୁ ମିଳିଛି। ପୂର୍ବରୁ ନୂଆଶାସନ ଗ୍ରାମରେ ଭଡ଼ାରେ ରହୁଥିବା ସୁଭାଷିନୀ ଜେନା ନାମ୍ନୀ ମହିଳା ଗୁଳିମାଡ଼ରେ ଆହତ ହୋଇଥିଲେ। ଶ୍ରୀମତୀ ଜେନା ନଳକୂପରୁ ପାଣି ଆଣିବାକୁ ଯାଇଥିଲା ବେଳେ ତାଙ୍କ ହାତରେ ଗୁଳି ବାଜିଥିଲା। ଅସ୍ତ୍ରୋପଚାର ପରେ ହାତରୁ ଗୁଳି ବାହାରିଥିଲା। ଏ ନେଇ ଶ୍ରୀମତୀ ଜେନା ସେତେବେଳେ ଥାନାରେ ଅଭିଯୋଗ କରିଥିଲେ। ସେହିଭଳି ଅକ୍ଟୋବର ୨୪ ତାରିଖରେ ଗ୍ରାମର ପ୍ରମିଳା ଦେବୀ ନାମ୍ନୀ ବୃଦ୍ଧାଙ୍କ ଆଣ୍ଠୁରେ ଗୁଳି ବାଜିଥିଲା। ‌ଦୁଇ ତିନି ଦିନ ଭିତରେ ନୂଆଶାସନ ଗ୍ରାମ ସ୍କୁଲ୍‌, ଅଭିରାମ ପରମହଂସ ମଠ ସମ୍ମୁଖ ରାସ୍ତାରେ ଗୁଳି ପଡ଼ିଥିବା ଗ୍ରାମ ମୁରବିମାନେ କହିଛନ୍ତି। ଏଭଳି ସ୍ଥିତିରେ ଗ୍ରାମବାସୀ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ସେମାନଙ୍କ ସୁରକ୍ଷା ପାଇଁ ଜିଲ୍ଲା ଓ ପୁଲିସ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମ କମିଟି ସଭାପତି ବିପିନ ବେହେରା, ସମ୍ପାଦକ ଦୀପକ ସାହୁ, ଗ୍ରାମ ମୁରବି ସରୋଜ ପଣ୍ଡା ପ୍ରମୁଖ ନିବେଦନ କରିଛନ୍ତି। ଏ ନେଇ ଦୃଷ୍ଟି ଦିଆ ନ ଗଲେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର