କମୁଛନ୍ତି ଗୋଧନ: ମୟୂରଭଂଜରେ ୨୦୧୨ ଥିଲେ ୮ଲକ୍ଷ ୩୧ହଜାର ୨୬୭, ୨୦୧୯ରେ ୬ଲକ୍ଷ ୭୩ହଜାର ୪୪୨

କମୁଛି ଚାରଣ ଭୂମି, ସ୍ଥାଣୁ ହୋଇପଡ଼ିଛି ବିଭାଗ; ଚିକିତ୍ସା ବ୍ୟବସ୍ଥା ଭୁଶୁଡ଼ିଛି, ଖାଲି ପଡ଼ିଛି ବହୁ ପଦବୀ

ବାରିପଦା: ଗୋପାଳନ ଆତ୍ମନିର୍ଭର ଭାରତ ଗଠନ କ୍ଷେତ୍ରରେ ଏକ ବଡ଼ ମାଧ୍ୟମ। ଆଜିକା ସମୟରେ ବହୁ ଶିକ୍ଷିତ ଯୁବକ ମଧ୍ୟ ଗୋପାଳନ ଦିଗରେ ଆଗେଇ ଆସୁଛନ୍ତି। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଗୋପାଳନ ଏକ ପ୍ରମୁଖ ଭୂମିକା ନିର୍ବାହ କରିବା କଥା। କୃଷି, ଗୃହପାଳିତ ପଶୁ ପାଳନ ଏବଂ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଜିଲ୍ଲାବାସୀ ମୁଖ୍ୟତଃ ନିର୍ଭରଶୀଳ। ବିଶେଷକରି ପାହାଡ଼ିଆ ଓ ଉପାନ୍ତ ଅଞ୍ଚଳ ସହିତ ଗାଁଗଣ୍ଡାରେ ବସବାସ କରୁଥିବା

ଆଦିବାସୀ, ମହାନ୍ତ ଆଦି ବିଭିନ୍ନ ସମ୍ପ୍ରଦାୟର ଜନସାଧାରଣ ଜୀବିକା ନିର୍ବାହ ନିମନ୍ତେ ଗୋପାଳନ, ଛେଳି, କୁକୁଡ଼ା ଓ ବତକ ପାଳନ ଉପରେ ନିର୍ଭର କରିଥାଆନ୍ତି। ମାତ୍ର ଜିଲ୍ଲାରେ ଗୋଧନର ବିକାଶନେଇ କୌଣସି ପଦକ୍ଷେପ ନିଆଯାଉନଥିବା ଦୃଷ୍ଟିଗୋଚର ହୋଇଛି। ଏପରିକି ଗୋଟିଏ ପ୍ରାଣୀଧନ ଗଣନା ସମୟ ମଧ୍ୟରେ ପ୍ରାୟ ଦେଢ଼ ଲକ୍ଷରୁ ଊର୍ଧ୍ବ ଗୋଧନ କମିଥିବା ତଥ୍ୟ କହୁଛି। ୨୦୧୨ ମସିହାରେ ହୋଇଥିବା ପ୍ରାଣୀସମ୍ପଦ ଗଣନା ଆଧାରରେ ଜିଲ୍ଲାରେ  ଦେଶୀ ଓ ଶଙ୍କର ଜାତୀୟ ଗାଇ ଏବଂ ଷଣ୍ଢଙ୍କ ସଂଖ୍ୟା ୮ଲକ୍ଷ ୩୧ହଜାର ୨୬୭ ଥିଲା। ପରବର୍ତ୍ତୀ ପ୍ରାଣୀସମ୍ପଦ ଗଣନା ନିର୍ଦ୍ଧାରିତ ସମୟ ୨୦୧୭ରେ ନହୋଇ ୨୦୧୯ରେ ହୋଇଥିଲା। ମାତ୍ର ଏହି ପ୍ରାଣୀସମ୍ପଦ ଗଣନାରେ ଜିଲ୍ଲାରେ ଗୋଧନଙ୍କ ସଂଖ୍ୟା ୬ଲକ୍ଷ ୭୩ହଜାର ୪୪୨କୁ ଖସିଆସିଥିବା ଖୋଦ୍‌ ବିଭାଗ ପକ୍ଷରୁ କୁହାଯାଇଛି। ଅର୍ଥାତ ଗତ ୭ ବର୍ଷ ମଧ୍ୟରେ ଜିଲ୍ଲାରେ ୧ଲକ୍ଷ ୫୭ହଜାର ୮୨୫ ଗୋସମ୍ପଦ କମିଛନ୍ତି।

ମୟୂରଭଞ୍ଜ ଭଳି ଏକ କୃଷିପ୍ରଧାନ ଏବଂ ପ୍ରାକୃତିକ ପରିବେଷ୍ଟିନୀ ଜିଲ୍ଲାରେ ଗୋଧନଙ୍କ ସଂଖ୍ୟା ଏପରି କମିବା ନିହାତି ଉଦ୍‌ବେଗଜନକ। ଜିଲ୍ଲାରେ ଏମାନଙ୍କ ପାଇଁ ରହିଥିବା ଚାରଣ ଭୂମି ଧୀରେ ଧୀରେ ସଙ୍କୁଚିତ ହେବାରେ ଲାଗିଛି। ଫଳରେ ସମାଜକୁ ଅମୃତ ଯୋଗାଉଥିବା ଏହି ପ୍ରାଣୀମାନଙ୍କର ଖାଦ୍ୟାଭାବ ଦେଖାଯାଉଛି। ସେହିପରି ଏହି କ୍ଷେତ୍ରର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ନେଉଛନ୍ତି। ମାତ୍ର ମୟୂରଭଞ୍ଜରେ ଉକ୍ତ ଯୋଜନାଗୁଡ଼ିକର କୌଣସି ସୁଫଳ ପଡ଼ୁନଥିବା ପରିଲକ୍ଷିତ ହେଉଛି।

ଜିଲ୍ଲାରେ ମାତ୍ର ହାତଗଣତି କେତୋଟି ଗୋଶାଳା ରହିଛି। ବ୍ୟକ୍ତିଗତ ମାଲିକାନାରେ ଚାଲୁଥିବା ଉକ୍ତ ଗୋଶାଳାଗୁଡ଼ିକର ବିକାଶ ନେଇ ବିଭାଗ ପକ୍ଷରୁ ସେପରି କୌଣସି ପ୍ରୋତ୍ସାହନ ଯୋଗାଇ ଦିଆଯାଉନଥିବା ଅଭିଯୋଗ ହୋଇଛି। ଯୁବଗୋଷ୍ଠୀଙ୍କୁ ଅତ୍ୟାଧୁନିକ ଉପାୟରେ ଗୋପାଳନ କରି ସ୍ବାବଲମ୍ବୀ ହେବାକୁ ମଧ୍ୟ ବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉନାହିଁ। ଏହାର ସିଧାସଳଖ ଫଳ ହେଉଛି ତ୍ବରିତ ଗତିରେ ଗୋଧନ କମିବା। ୨୦୧୨ ଗଣନାରେ ଜିଲ୍ଲାରେ ୧୪ହଜାର ୧୮୫ ଟି ମଇଁଷି ଥିଲେ। ମାତ୍ର ୨୦୧୯ ଗଣନାରେ ଏହି ସଂଖ୍ୟା ୫୮୬୯କୁ ଖସି ଆସିଛି। ଜିଲ୍ଲାରେ ଏହି ପ୍ରାଣୀମାନଙ୍କର ଚିକିତ୍ସା ଭିତ୍ତିଭୂମି ମଧ୍ୟ ଦୁର୍ବଳ ହୋଇପଡ଼ିଛି। ଫଳରେ ଏମାନଙ୍କର ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ହୋଇପାରୁନାହିଁ। ଯାହାକି ଏହି କ୍ଷେତ୍ରକୁ ନୂତନ ଉଦ୍ୟୋଗୀଙ୍କ ପ୍ରବେଶ ନିରୁତ୍ସାଜନକ ରହୁଛି।

ଚିକିତ୍ସା କେନ୍ଦ୍ରରେ ଚିକିତ୍ସକ ପଦବୀ ଖାଲି ପଡ଼ିଛି। ଫଳରେ ଜନସାଧାରଣ ସ୍ଥଳ ବିଶେଷରେ ଲକ୍ଷାଧିକ ଟଙ୍କା କ୍ଷତିରେ ପଡ଼ୁଛନ୍ତି । ପୁଣି ଯେଉଁମାନେ ଋଣ ନେଇ ଶଙ୍କର ଜାତୀୟ ଗାଈ ପାଳନ କରୁଛନ୍ତି ସେମାନଙ୍କ କ୍ଷେତ୍ରରେ ଏହି କ୍ଷତିକୁ ଭରଣା କରିବା ସମ୍ଭବ ହୋଇ ପାରୁନାହିଁ । ଜିଲ୍ଲାର ସଦର ମହକୁମା ବାରିପଦାରେ ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ସହିତ କରଞ୍ଜିଆ, ବାରିପଦା, ଉଦଳା ଓ ରାଇରଙ୍ଗପୁରଠାରେ ଉପଖଣ୍ଡସ୍ତରୀୟ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ, ୨ଟି ପ୍ରାଣୀ ଚିକିତ୍ସାଳୟ, ୨୪ଟି ଗୋଷ୍ଠୀ ପ୍ରାଣୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ, ୧୬୬ଟି ପୁରୁଣା ଓ ୫୬ଟି ନୂଆ ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ର ରହିଛି । ଏହି ସମୟରେ ଜିଲ୍ଲାର ଉଦଳା ଓ କରଞ୍ଜିଆ ଉପଖଣ୍ଡ କାର୍ଯ୍ୟାଳୟରେ ଉପଖଣ୍ଡସ୍ତରୀୟ ପ୍ରାଣୀ ଚିକିତ୍ସା ଅଧିକାରୀ ପଦବୀ ଖାଲି ପଡ଼ି ରହିଛି ।

ସେହିପରି ଜିଲ୍ଲାରେ ମଞ୍ଜୁରୀ ପ୍ରାପ୍ତ ୧୩୦ ପ୍ରାଣୀଧନ ନିରୀକ୍ଷକ ପଦବୀ ମଧ୍ୟରୁ ୮୦ ଜଣ ରହିଥିବା ବେଳେ ୫୦ ପଦବୀ ଖାଲି ପଡ଼ିଛି। ମଞ୍ଜୁରୀପ୍ରାପ୍ତ ୫୯ ଠିକା ପ୍ରାଣୀଧନ ନିରୀକ୍ଷକ ପଦବୀ ମଧ୍ୟରୁ ୩୫ ଜଣଙ୍କୁ ନିଯୁକ୍ତି ମିଳିଛି । ପୁଣି ଭେଟେନାରୀ ଟେକ୍ନିସିଆନ ପଦବୀ ମଧ୍ୟରୁ ମଧ୍ୟ ଏକାଧିକ ଫାଙ୍କା। ଏଥି ସହିତ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟରେ ମଧ୍ୟ ବହୁ ପଦବୀ ଖାଲି ପଡ଼ିଛି। ସେହିପରି କୁକୁଡ଼ା ଓ ବତକ ଆଦି ରୋଗରେ ପଡ଼ିଲେ ଗୋଟିଏ ଗୋଟିଏ ଫାର୍ମରେ ଥିବା ସମସ୍ତ କୁକୁଡ଼ା ମରି ସଫା ହୋଇ ଯାଉଛନ୍ତି । ତେବେ ଯୁବକମାନଙ୍କୁ ଆତ୍ମନିର୍ଭର କରିବାକୁ ହେଲେ ଏହି କ୍ଷେତ୍ରର ଉପଯୁକ୍ତ ବିକାଶ ଏକ ପ୍ରମୁଖ ମାଧ୍ୟମ ସାଜିବ ବୋଲି ମତପ୍ରକାଶ ପାଇଛି।

 

ସମ୍ବନ୍ଧିତ ଖବର